ଗୁଣି ଗାରେଡ଼ିକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା: ମୃତଦେହ ପୋଡ଼ିଦେଲେ ଦୁର୍ବୃତ୍ତ, ଗାଁ ପୁରୁଷ ଶୂନ୍ୟ

ସନ୍ଧାନୀକୁକୁର , ସାଇଣ୍ଟିଫିକ୍ ଟିମ୍ ଜରିଆରେ ପଦ୍ମପୁର ପୁଲିସର ଛାନଭିନ୍, ୭ ଜଣଙ୍କ ନାଁରେ ମାମଲା

ରାୟଗଡ଼ା/ପଦ୍ମପୁର: ଗୁଣିଗାରେଡ଼ିକୁ ନେଇ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ପାଜିଲିବନ୍ଧ ଗ୍ରାମରେ ଗୁରୁବାର ରାତିରେ ହତ୍ୟାକାଣ୍ଡ ଘଟିଛି। ୭ରୁ ଉର୍ଧ୍ବ ଦୁର୍ବୃତ୍ତ ଗ୍ରାମର ରାମ ମୂଳିକୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପୋଡ଼ି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏଥି ସହିତ ପୋଡା ପାଉଁଶ, ହାଡ଼ ଓ କାଠକୁ ନିକଟସ୍ଥ ନଦୀରେ ଦୁର୍ବୃତ୍ତମାନେ ଭସାଇ ଦେଇଥିବା କୁହାଯାଉଛି । ପଦ୍ମପୁର ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଆଜି ପୂର୍ବାହ୍ଣରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ,  ଗ୍ରାମର ରାମ ମୂଳି ଓ ତାଙ୍କ ସ୍ତ୍ରୀ ମାୟା ମୂଳି ଗତକାଲି ରାତ୍ରି ଭୋଜନ ପରେ ନିଜ କ୍ଷେତ ନିକଟରେ ଥିବା କୁଡ଼ିଆରେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ୭ରୁ ଉର୍ଧ୍ବ ଦୁର୍ବୃତ୍ତ କୁଡ଼ିଆ ନିକଟରେ ପହଞ୍ଚି ରାମକୁ ଡାକିଥିଲେ। ରାମ କୁଡ଼ିଆ ଭିତରୁ ବାହାରକୁ ଆସିବା ପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ କାଠ ଫାଳିଆରେ ଆକ୍ରମଣ କରିଥିଲେ। ରାମଙ୍କୁ ନ ପିଟିବା ପାଇଁ ସ୍ତ୍ରୀ ମାୟା ଦୁର୍ବୃତ୍ତମାନଙ୍କୁ ବହୁ ଅନୁରୋଧ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ମାୟାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ଜୀବନ ବିକଳରେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଆସିଥିଲେ।

ଦୁର୍ବୃତ୍ତମାନେ ରାମଙ୍କୁ ନିର୍ମମ ଭାବେ କାଠ ଫାଳିଆରେ ପିଟି ଚାଲିବା ଯୋଗୁ ଘଟଣାସ୍ଥଳରେ ହିଁ ରାମ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ପରେ ଦୁର୍ବୃତ୍ତମାନେ ରାମଙ୍କ ମୃତଦେହକୁ ରାତି ପ୍ରାୟ ୧ଟାରେ ନିକଟସ୍ଥ ନଦୀକୂଳରେ ପୋଡ଼ି ଦେଇଥିଲେ। ମୃତଦେହ ପୋଡ଼ି ପାଉଁଶ ହୋଇଯିବା ପରେ ପାଉଁଶ, ହାଡ଼ ଓ ପୋଡ଼ା କାଠକୁ ନଦୀରେ ଭସାଇ ଦେଇ ଫେରାର୍ ହୋଇ ଯାଇଥିଲେ। ଆଜି ସକାଳେ ରାମଙ୍କ ସ୍ତ୍ରୀ ମାୟା ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥ‌ଳରେ ପହଞ୍ଚିଥିଲା। ମାଜିଷ୍ଟ୍ରେଟ୍ ତଥା ପଦ୍ମପୁର ତହସିଲଦାର ନୀଳମାଧବ ମାଝିଙ୍କ ଉପସ୍ଥିତିରେ ଗୁଣପୁର ଏସଡିପିଓ ରାଜ କିଶୋର ଦାଶ, ପଦ୍ମପୁର ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ, ମୃତଦେହ ପୋଡା ଯାଇଥିବା ସ୍ଥାନରୁ ହାଡ଼ ଓ ପାଉଁଶକୁ ଜବତ କରିଛନ୍ତି।

ଏହି ଘଟଣା ପାଜିଲିବନ୍ଧ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଭୟରେ ପୁରା ଗାଁ ପୁରୁଷଶୂନ୍ୟ ହୋଇ ପଡିଛି। ହତ୍ୟାକାଣ୍ଡରେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପଦ୍ମପୁର ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ପୁଲିସ୍ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଗୁଣପୁର ଏସଡିପିଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର