ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ଆମସରଭଟା ଗ୍ରାମରେ ଚାଷ ଜମିକୁ ପାଣି ମଡାଇବା ନେଇ ହତ୍ୟାକାଣ୍ଡ ହୋଇଛି। ତିନି ଭାଇଙ୍କ ଆକ୍ରମଣରେ ବାଙ୍କା ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ପୁଅ ସୁରେନ୍ଦ୍ର ଗୁରୁତର ଭାବେ ଆହତ ହୋଇଛନ୍ତି ।

Advertisment

ଏହି ହତ୍ୟାକାଣ୍ଡ ପରେ ତିନି ଭାଇ ରଞ୍ଜିତ, ରଞ୍ଜନ ଓ ରାଜେନ୍ଦ୍ରକୁ ଅଟକ ରଖିଛି ସୁବଳୟା ପୁଲିସ୍ ‌। ମିଳିଥିବା ସୂଚନା ଅନୁସାରେ କୁଞ୍ଜବିହାରୀ ସାହୁ ଓ ତାଙ୍କର ତିନି ପୁଅ ଆଜି ଚାଷ ଜମିକୁ ପାଣି ମଡାଇବାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଘଟଣାସ୍ଥଳରୁ କୁଞ୍ଜବିହାରୀ ଓ ତାଙ୍କ ତିନି ପୁଅ ଘରକୁ ଫେରିଆସି ନିଜ ଘର ପାଖରେ ଲୁଚି ରହିଥିଲେ। ବାଙ୍କା ସାହୁ ଓ ତାଙ୍କ ପୁଅ ସୁରେନ୍ଦ୍ର ଘରକୁ ଫେରିବାବେଳ ଟାଙ୍ଗୀଆରେ ଆକ୍ରମଣ କରିଥିଲେ ତିନିପୁଅ । ଫଳରେ ଘଟଣାସ୍ଥଳରେ ବାଙ୍କା ସାହୁ (୭୫) ମୃତ୍ୟୁ ବରଣ କରିଥିବା ବେଳେ ପୁଅ ସୁରେନ୍ଦ୍ରକୁ ଗୁରୁତର ଅବସ୍ଥାରେ ସୋନପୁରକୁ ସ୍ଥାନାନ୍ତରିତ କରାଯାଇଛି।

ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ, ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି ।