ରାୟଗଡ଼ା/ମୁନିଗୁଡ଼ା: ଗୁଣି ଗାରେଡି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅମ୍ବାଦଳା ଥାନା କୁମୁଡାପଦର ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ବିଭୀଷଣ ନୁଣ୍ଡୃକା। ହତ୍ୟାର ୧୨ ଦିନ ପରେ ପୁଲିସ ଗାଁ ନଦୀପଠାରୁ ପଚାସଢ଼ା ମୃତଦେହକୁ ଉଦ୍ଧାର କରିଛି। ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ସାହାର୍ଯ୍ୟରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହ କୋରାପୁଟ ମେଡ଼ିକାଲ କଲେଜକୁ ପଠାଇଛି। ମାମଲାରେ ପୁଲିସ ୨ ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ନୁଣ୍ଡୃକା ଓ କେଶବ ନୁଣ୍ଡୃକାକୁ ଗିରଫ କରିଛି। ଏଥି ସହିତ ହତ୍ୟାକାଣ୍ଡ ପରେ ମୃତଦେହ ପୋତିବାରେ ସହଯୋଗ କରିଥିବା ୬ ଗ୍ରାମବାସୀଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩ ଫେରାର୍ ଥିବା ବିଷମକଟକ ଏସଡିପିଓ ଆକାଶ ସାହୁ ସୂଚନା ଦେଇଛନ୍ତି। ନୂଆ ବର୍ଷ ଅବସରରେ କୁମୁଡାପଦର ଗ୍ରାମବାସୀଙ୍କ ପକ୍ଷରୁ ସାମୂହିକ ବଣଭୋଜିର ଆୟୋଜନ ହୋଇଥିଲା। ବଣଭୋଜି ସରିବା ପରେ ସନ୍ଧ୍ୟାରେ ସଭିଁଏ ଘରକୁ ଫେରି ଆସିଥିବା ବେଳେ ବିଭୀଷଣଙ୍କ କୌଣସି ଖୋଜ ଖବର ମିଳିନଥିଲା। ପରିବାର ଲୋକ ବହୁ ଖୋଜ‌ାଖୋଜି କରିବା

Advertisment

ପରେ ମଧ୍ୟ ବିଭୀଷଣଙ୍କ ସଂପର୍କରେ କିଛି ସୂଚନା ମିଳିନଥିଲା। ଏପରିକି ଗ୍ରାମବାସୀ ମଧ୍ୟ ବିଭୀଷଣଙ୍କୁ ଖୋଜିବାରେ ସହଯୋଗ କରିନଥିଲେ। ଫଳରେ ପରିବାର ଲୋକ ସନ୍ଦେହ କରି ବଣଭୋଜି ଅଞ୍ଚଳ‌ରେ ଖୋଜାଖୋଜି କରୁଥିବା ବେଳେ ଦୁର୍ଗନ୍ଧ ହେଉଥିବା ସ୍ଥାନକୁ ଠାବ କରି ଅମ୍ବାଦଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ସାହାର୍ଯ୍ୟରେ ନଦୀପଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ଓ କେଶବଙ୍କ ସହ ମୃତ ବିଭୀଷଣଙ୍କ ବଣଭୋଜି ଦିନ ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସଭିଁଏ ମଦ୍ୟପାନ କରିଥିବାରୁ କୌଣସି କାରଣକୁ ନେଇ ପରସ୍ପର ମଧ୍ୟରେ ହୋଇଥିବା ଝଗଡ଼ା ହୋଇଥିବା ବେଳେ ଶ୍ରୀଧର ଓ କେଶବଙ୍କୁ ବିଭୀଷଣ ଧମକ ଦେଇଥିଲେ। ଯାହାକୁ ନେଇ କେଶବ ଓ ଶ୍ରୀଧର ଉତ୍ତ୍ୟକ୍ତ ହେବା ସହ ବିଭୀଷଣକୁ ପିଟି ପିଟି ମାରି ଦେଇଥିଲେ। ବିଭୀଷଣର ମୃତ୍ୟୁ ପରେ ଶ୍ରୀଧର ଓ କେଶବ ଅନ୍ୟ ୬ ଗ୍ରାମବାସୀଙ୍କ ସହଯୋଗରେ ମୃତଦେହକୁ ନଦୀବାଲିରେ ପୋତି ଦେଇଥିଲେ। ଘଟଣା ସଂପର୍କରେ ବିଭୀଷଣଙ୍କ ସଂପର୍କୀୟ କୁଟୁଣିପଦର ଗ୍ରାମର ଦାମ ନୁଣ୍ଡୃକା ଜାଣିବା ପରେ ଅମ୍ବାଦଳା ଥାନାରେ ଅଭି‌ଯୋଗ କରିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଉଠାଇ ନେଇ ଥାନାରେ ପଚରା ଉଚରା କରିବା ସହ ସହଯୋଗୀଙ୍କୁ ଗିରଫ କରିଥିଲା। ଘଟଣାରେ ଅମ୍ବାଦଳା ପୁଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଶବ ପୋତିବାରେ ସହଯୋଗ କରିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି। ଫେରାର ଅନ୍ୟ ୩ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ସୂଚନାଯୋଗ୍ୟ, ୨୦୧୪ ମସିହାରେ ମୃତ ବିଭୀଷଣ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ଉପରକୁ ଦେଶୀ ବନ୍ଧୁକରୁ ଗୁଳି କରି ହତ୍ୟା ଉଦ୍ୟମ କରିଥିଲା। ସେହିପରି ଅନ୍ୟ ଅଭିଯୁକ୍ତ କେଶବର ବାପାକୁ ବିଭୀଷଣ ଗୁଣି ଗାରେଡି କରି ହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଥିଲା।