ଜୟପୁର: ଗତ ଜୁଲାଇ ମାସ ୧୩ତାରିଖ ଦିନ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅର୍ନ୍ତଗତ ଯମୁନାହାଣ୍ଡି ଗାଁର ଗୁରୁମାଝୀଙ୍କ ପୁଅ ଶିବରାମ ମାଝୀଙ୍କୁ ଜମିରେ ହତ୍ୟା କରିଥିବା ଅଭିଯୋଗ ‌ହୋଇଥିଲା। ଏ ନେଇ କୋଟପାଡ଼ ଥାନାରେ ମାମଲା ରୁଜୁ ହୋଇଛି। ହତ୍ୟାକାରୀ ଅଭିଯୁକ୍ତ ମାନେ ଖୁଲମ୍ ଖୁଲ୍ଲା ବୁଲୁ ଥିବା ବେଳେ ପୁଲିସ ଏମାନଙ୍କୁ ଗିରଫ କରୁନି ବୋଲି ଅଭିଯୋଗ କରି ଆଜି ସୋମବାର ଯମୁନାହାଣ୍ଡି ଗ୍ରାମବାସୀ ମାନେ ଏସ୍ପି ଅଭିନବ ସୋନକରଙ୍କୁ ଗୁହାରୀ କରିଥିଲେ। ଜୟପୁରରେ ଅନୁଷ୍ଠିତ ‌ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠକୁ ତାଙ୍କ ଭଉଣୀ, ବିଧବା ସ୍ତ୍ରୀ, ବାପା, ମା ଓ ଗ୍ରାମବାସୀ ମାନେ ଆସି ଏ ନେଇ ଅଭିଯୋଗଶୁଣାଣୀରେ ଅଭିଯୋଗ ପତ୍ର ଦାଖଲ କରିଥିଲେ।

Advertisment

ସୂଚନା ମୁତାବକ, ସେହି ଗାଁର ମୃତ ଶିବରାମଙ୍କ ସହ ଅଭିଯୁକ୍ତ ମାନଙ୍କର ପୂର୍ବରୁ କୌଣସି ମାମଲାକୁ ନେଇ ବିବାଦ ଲାଗି ରହିଥିଲା। ଗତ ମାସ ୧୩ତାରିଖ ଦିନ ଏକ ଜମିରେ ଶିବରାମଙ୍କ ଗଳିତ ଶବ ମିଳିଥିଲା। ଅଭିଯୁକ୍ତ ମାନେ ହତ୍ୟାକରି ଜମିରେ ପୋତି ଦେଇଥିବା ପରିବାରବର୍ଗ କୋଟପାଡ ଥାନା‌ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୋଟପାଡ ପୁଲିସ ଘଟଣାର ତଦନ୍ତ କରିଥିଲେ।

ତେବେ କିଛି ସଂଦେହାସ୍ପଦ ଲୋକଙ୍କ ସଂପର୍କରେ ଏମାନେ ଅଭିଯୋଗ କରିବା ପରେ ପୁଲିସ ସେମାନଙ୍କୁ ଉଠାଇ ଆଣି ପରବର୍ତ୍ତୀ ସମୟରେ ପୁଣି ନିର୍ଦ୍ଦୋଷ ବୋଲି ଛାଡ଼ି ଦେଇଥିଲେ। ଡାକ୍ତର ଦେଇଥିବା ଶବ ବ୍ୟବଛେଦ ରିପୋର୍ଟକୁ ନେଇ ବି ଏହି ଗ୍ରାମବାସୀ ମାନେ ସଂଦେହ ପ୍ରକାଶ କରିଛନ୍ତି। ଆଜି ସୋମବାର ଏସପିଙ୍କୁ ଭେଟି କୋଟପାଡ ପୁଲିସର କାର୍ଯ୍ୟଧାରା ଉପରେ ସଂଦେହ ପ୍ରକାଶ କରିବା ସହ ଡାକ୍ତର ଦେଇଥିବା ଶବବ୍ୟାବଛେଦ ରିପୋର୍ଟବି ଠିକ୍ ନୁହେଁ ବୋଲ କହିଥିଲେ। ଅଭିଯୋଗ ଶୁଣାଣୀ ସରିବା ପର୍ଯ୍ୟନ୍ତ ଗ୍ରାମବାସୀ ମାନେ ଅପେକ୍ଷା କରି ରହିଥିଲେ।

publive-image Sambad

ଏସ୍ପି ବାହାରକୁ ବାହାରିବା ପରେ ଗ୍ରାମବାସୀ ମାନେ ଏସପିଙ୍କୁ ଘେରି ଯାଇଥିଲେ। କାହିଁକି ଓ କେଉଁ ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଛଡ଼ାଯାଇଛି। ଅଭିଯୁକ୍ତ ମାନେ ଅପରାଧ କରି ଖୁଲମଖୁଲ୍ଲାରେ ବୁଲିବା ଅନ୍ୟ ମାନଙ୍କ ପାଇଁ ବିପଦ ବୋଲି ଏମାନେ କହିଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ବୋରିଗୁମ୍ମା ଏସଡିପିଓ ମାମଲାର ତଦନ୍ତଭାର ନେଇଥିବା ବେଳେ ଅତିଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି। ଜଣେ ନିର୍ଦ୍ଦୋଷକୁ ଦୋଷୀ ସଜାଇବା ବଦଳରେ ଠିକଣାରେ ତଦନ୍ତ କରିବାକୁ ପଡ଼ିବ ବୋଲି କହିଥିଲେ। ଅଭିଯୋଗକାରୀ ମାନେ ପୂର୍ବରୁ ଗୋଟିଏ ଅଭିଯୋଗ କରିଥିବା ବେଳେ ଏବେ ଅଭିଯୋଗକୁ ବଦଳାଇବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଏସପି ପ୍ରଶ୍ନ କରିଛନ୍ତି। ମାମଲାକୁ ଗୁରୁତର ସହ ବିଚାରକୁ ନେଇ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଧରାଯିବ, ବୋରିଗୁମ୍ମା ଏସଡିପିଓ ତାଙ୍କ ତତ୍ତ୍ବାବଧାନରେ ମାମଲାର ତଦନ୍ତ କରୁଛନ୍ତି ବୋଲି କହିଥିଲେ ଏସ୍ପି। ଗ୍ରାମବାସୀ ମାନେ ଆମକୁ ନ୍ୟାୟ ଦରକାର ବୋଲି କହିବା ସହ ପୁଲିସ ଉପରେ ଆମର ଆସ୍ଥା ଓ ବିଶ୍ବାସ ରହିଛି ଯଦି ନ୍ୟାୟ ପ୍ରଦାନ ନ ହେଲେ ଆମେ ବାଧ୍ୟ ହୋଇ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ଗ୍ରାମବାସୀ।