ରାଉରକେଲା: ‘ରୋଜଗାର ପାଇଁ ରାଉରକେଲା ଛାଡି ରାଜସ୍ଥାନ ଯାଇଥିବା ରୋଜଗାରିଆ ପୁଅକୁ ମାରିଦେଲେ। କିଏ ଓ କାହିଁକି ପୁଅକୁ ହତ୍ୟା କଲା, କିଛି ଜାଣିପାରିଲିନି। ରାଜସ୍ଥାନ ଅଜମେର ହସ୍ପିଟାଲରେ ମର୍ଗ ହାଉସରେ ପୁଅର ଶବ ପଡ଼ିରହିଲା। ନ୍ୟାୟ ପାଇବାକୁ ଅଜମେର ଏସ୍‌ପିଙ୍କ କାର୍ଯ୍ୟାଳୟରୁ ରେଳବାଇ ଥାନାକୁ ବାରମ୍ବାର ଦୌଡ଼ିଲି। ଉଭୟ କିନ୍ତୁ ମାନବିକତା ଭୁଲିଗଲେ। ନ୍ୟାୟ ପାଇବାକୁ ଦୁଇ ଦିନ ଏସ୍‌ପିଙ୍କ କାର୍ଯ୍ୟାଳୟ ଓ ରେଳବାଇ ଥାନାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିଲି। ଭାବିଥିଲି ମୋତେ ନ୍ୟାୟ ମିଳିବ। ପୁଅ ହତ୍ୟାକାରୀକୁ କଠୋର ଦଣ୍ଡ ମିଳିବ। କିନ୍ତୁ କେହି ମୋର ଦୁଃଖ ଶୁଣିଲେନି। ନିରୂପାୟ ହୋଇ ଶେଷରେ ମର୍ଗରେ ସଢ଼ୁଥିବା ପୁଅର ଶବକୁ ନେଇ ରାଉରକେଲା ଫେରିଲି। ଆଜି ରାଉରକେଲା ବନ୍ଧମୁଣ୍ଡାରେ ପୁଅର ଶବକୁ ନେଇ ପହଞ୍ଚିବା ପରିବାର ଓ ସମ୍ପର୍କୀୟଙ୍କ ଆଗରେ ଏମିତି ଦୁଃଖଭରା କାହାଣୀ କହିଛନ୍ତି ମୃତ ହରିଶର ବାପା ତାବୁଲ ତନ୍ତୀ। ଶବ ପହଞ୍ଚିବା ପରେ ବନ୍ଧମୁଣ୍ଡାରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବେଦବ୍ୟାସ ଶ୍ମଶାନ ଘାଟରେ ହରିଶର ଶବ ସଂସ୍କାର ହୋଇଛି।

Advertisment

ସେପଟେ ପୁଅର ହତ୍ୟାକାରୀକୁ କଠୋର ଦଣ୍ଡ ଦେବାକୁ ତାବୁଲ ପୂର୍ବତନ‌ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ଓ ରାଉରକେଲା ଜିଲ୍ଲା ପୁଲିସକୁ ଘଟଣାର ହସ୍ତକ୍ଷେପ କରିବାକୁ ଗୁହାରି କରିଛି। ଉଲ୍ଳେଖଯୋଗ୍ୟ, ଉଲ୍ଲେଖଯୋଗ୍ୟ, ବନ୍ଧମୁଣ୍ଡା ବି ସେକ୍ଟରର ହରିଶ କୁମାର ତନ୍ତୀ (୨୦)କୁ ଅଜମେରରେ ପିଟି ପିଟି ହତ୍ୟା କରାଯାଇଥିବା ବାପା ତାବୁଲ ଅଭିଯୋଗ କରିଥିଲେ। ହରିଶ ଗତ ଗୁରୁବାର ଗାଜିଆବାଦରୁ ରାଜସ୍ଥାନ ଅଜମେରକୁ ଅନ୍ୟ ଏକ ଟାୱାର ବସାଇବାକୁ ଟ୍ରେନ୍‌ରେ ବାହାରିଥିଲେ। ଅପରାହ୍‌ଣରେ ଅଜମେରରେ ପହଞ୍ଚିଥିଲେ। ପିତା ତାବୁଲଙ୍କ କହିବାନୁଯାୟୀ ଟ୍ରେନ୍‌ରେ ଯାତ୍ରା କରୁଥିବାବେଳେ ଅଜମେର ପହଞ୍ଚିବା ପୂର୍ବରୁ ଚୋରି ଅଭିଯୋଗରେ ତାଙ୍କ ପୁଅକୁ ରେଳବାଇ ପୁଲିସ ଓ ଅନ୍ୟ କିଛି ଯୁବକ ନିର୍ଧୁମ ମାଡ଼ ମାରିଥିଲେ। ପରେ ରେଳବାଇ ପୁଲିସ ହରିଶକୁ ଗିରଫ କରିଥିଲା। କୋର୍ଟରୁ ମୁକୁଳାଇବା ପାଇଁ ଜଣେ ଆଇନୀଜୀ ତାଙ୍କୁ କଲ୍‌ କରି ୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ଆଇନଜୀବୀଙ୍କ କହିବାନୁଯାୟୀ ସେ ୫ ହଜାର ଟଙ୍କା ମଧ୍ୟ ପଠାଇଥିଲେ। ସଂଧ୍ୟା ପ୍ରାୟ ୫ଟାରେ ହରିଶକୁ କୋର୍ଟରୁ ଜାମିନ ମିଳିଯାଇଥିଲା। କୋର୍ଟରୁ ଜାମିନରେ ମୁକୁଳିବା ପରେ ଆଇନଜୀବୀ ଜଣକ ହରିଶକୁ ଘରକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ‌ବୋଲି କହିଥିଲେ। ‌ହେଲେ ଦୁଇଘଣ୍ଟା ପରେ ଆଜମେର ହସ୍ପିଟାଲରୁ ହଠାତ୍‌ ହରିଶର ମୃତ ଖବର ଶୁଣି ପରିବାର ଲୋକ ହତବମ୍ବ ହୋଇଯାଇଥିଲେ।