ପିଉସୀଙ୍କୁ ଅସଦାଚରଣ କରିବାରୁ ବୃଦ୍ଧଙ୍କୁ ହତ୍ୟାକଲା ନାବାଳକ

ପୁରୁଷୋତ୍ତମପୁର : ପିଉସୀ ନାନୀଙ୍କୁ ବୃଦ୍ଧଙ୍କ ଅସଦାଚରଣ ଦେଖି ରାଗରେ ଜର୍ଜରିତ ହୋଇ ଉଠିଲା। ଏହା ତା’ ପାଇଁ ଅତ୍ୟନ୍ତ ଅସହ୍ୟ ଥିଲା। ଆଉ ଉତକ୍ଷିପ୍ତ ନାବାଳକ ପୁତୁରା ସଂପୃକ୍ତ ବୃଦ୍ଧଙ୍କୁ କାତିରେ ହାଣି ନିର୍ମମ ଭାବେ ହତ୍ୟା କରିଦେଇଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅରଖପୁର ଗ୍ରାମରେ ଆଜି ଏଭଳି ଛାତିଥରା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ହେଲେ, ସେହି ଗ୍ରାମର ପ୍ରସନ୍ନ ନାହକ (୬୧)। ସଂପୃକ୍ତ ନାବାଳକକୁ ପୁଲିସ କାବୁ କରିବାରେ ସଫଳ ହୋଇଥିବା ବେଳେ ତା’ଠାରୁ ହତ୍ୟାରେ ବ୍ୟବହୃତ ୨ଟି କାତି ଜବତ ହୋଇଛି। ଆଉ ନାବାଳକ ଜଣକ ସମସ୍ତ ଦୋଷ ସ୍ବୀକାର କରିଛି ।

ମିଳିଥିବା ସୂଚନାନୁସାରେ, ବାଉରୀ ସାହିର ବାସିନ୍ଦା ପ୍ରସନ୍ନ ଗତ କିଛି ଦିନ ହେଲା ଉକ୍ତ ନାବାଳକର ପିଉସୀ ନାନୀ (୩୫)ଙ୍କୁ ଅସଦାଚରଣ କରି ଆସୁଥିଲେ । ଏହାସହ ଗାଁ ଦାଣ୍ଡରେ ଅଶ୍ଳୀଳ ବ୍ୟବହାର କରୁଥିଲେ। ପରିବାରବର୍ଗ ଏହାର ପ୍ରତିବାଦ କଲେ ପ୍ରସନ୍ନ ସେମାନଙ୍କୁ ହତ୍ୟା ଧମକ ଦେଉଥିଲେ । ଫଳରେ ପରିବାର ଲୋକ ମୁହଁ ବନ୍ଦ ରଖିଥିଲେ । ହେଲେ ଏହାକୁ ତାଙ୍କ ପୁତୁରାର ସହିବା ସୀମା ବାହାରେ ଚାଲିଗଲା। ସେ ପ୍ରସନ୍ନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ପ୍ରସନ୍ନ‌ ଯେଉଁ ନାଳପୋଲ ଦେଇ ବିଲମାଳ ରାସ୍ତାରେ ସବୁଦିନେ ଯାତାୟାତ କରୁଥିଲେ, ସେଠାରେ ସେ ଯୋଜନା ମୁତାବକ କାତି ଲୁଚାଇ ରଖିଥିଲା । ଆଜି ଅପରାହ୍‌ଣରେ ପ୍ରସନ୍ନ ସେହି ରାସ୍ତାରେ ଯାଉଥିବା ‌ବେଳେ ପୂର୍ବରୁ ଲୁଚି ରହିଥିବା ନାବାଳକ ଜଣକ ତାଙ୍କୁ ଅଟକାଇ କାତିରେ ଚୋଟ ଉପରେ ଚୋଟ ପକାଇ ଚାଲିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରସନ୍ନ ବିଲମାଳରେ ହିଁ ଟଳି ପଡ଼ିଥିଲେ। ଏହାପରେ ସୁରତରେ ରହୁଥିବା ବାପାଙ୍କୁ ମୋବାଇଲ୍‌ରେ ସବୁ ଘଟଣା କହି ଗାଁ ଛାଡ଼ି ଫେରାର୍ ହୋଇ ଯାଇଥିଲା। ପରେ ପ୍ରସନ୍ନଙ୍କ ଶବକୁ ପୁଲିସ ଉଦ୍ଧାର କରି ନାବାଳକଙ୍କୁ ମୋବାଇଲ୍ ଟ୍ରାକିଂ ଯୋଗେ ନିକଟ ଗାଗନାପୁର ଗ୍ରାମରୁ କାବୁ କରିଥିଲା। ତା’ଠାରୁ କାତି ଜବତ ହୋଇଛି ।

ସମ୍ବନ୍ଧିତ ଖବର