ସଫେଇ କର୍ମଚାରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା 

ବ୍ରଜରାଜନଗର : ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅନ୍ତର୍ଗତ ବିନାସୀପଡ଼ାରେ ଗୁରୁବାର ରାତି ପ୍ରାୟ ୧୧ଟାରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକ ଜକ ହେଲେ ସଞ୍ଜୀବ କୁମାର ମାଛକଣ୍ଡେ (୪୫)। ସେ ଏଠାରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ସଞ୍ଜୀବଙ୍କ ପଡୋଶୀ ଡମ୍ବରୁ ତାଙ୍କୁ ହତ୍ୟା କରିଥିବା ପୁଲିସ ସୂଚନାରୁ ଜଣାପଡ଼ିଛି। ପୁଲିସ ଶବ ଜବତ କରି ଅଧିକ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଡମ୍ବରୁ ଫେରାର ହୋଇଯାଇଛି। ସକାଳେ ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ବ୍ରଜରାଜନଗର ଏସ୍ଡ଼ିପିଓ ଗୁପ୍ତେଶ୍ଵର ଭୋଇ, ବ୍ରଜରାଜନଗର ଥାନା ଅଧିକାରୀ ବୈକୁଣ୍ଠ ସେଠ ମଧ୍ୟ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଫେରିଯାଇଥିଲେ। ପୁଲିସ ସୂତ୍ରରୁ ପ୍ରକାଶ ବ୍ରଜରାଜନଗର ବିନାସୀପଡାରେ ରହୁଥିବା ସଞ୍ଜୀବ ଓ ତାଙ୍କ ପଡୋଶୀ ଡମ୍ବୁରୁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ଡମ୍ବରୁ ଜଣେ ଦିନ ମଜୁରିଆ। ଗତକାଲି ଡମ୍ବରୁ କାମକୁ ଗଲାପରେ ସଞ୍ଜୀବ ତା’ ଘର ନିକଟକୁ ଆସି ଗାଳିଗୁଲଜ କରିଥିଲା। ସନ୍ଧ୍ୟାରେ ଡମ୍ବରୁ ଘରକୁ ଫେରିବା ପରେ ତାର ସ୍ତ୍ରୀ ଅରୁଣୀ ସମସ୍ତ କଥା କହିଥିଲା। ଫଳରେ ଡମ୍ବରୁ ପଚାରିବାକୁ ସଞ୍ଜୀବଙ୍କ ଘର ନିକଟକୁ ଯାଇଥିଲା । ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଡମ୍ବରୁ ନିଜକୁ ସମ୍ଭାଳି ନପାରି ସଞ୍ଜୀବକୁ ଏକ ଚାପୁଡ଼ା ମାରିଥିଲା। ସଞ୍ଜୀବ ନିକଟରେ ପଡିଥିବା ଏକ ଇଟା ଖଣ୍ଡରେ ଡମ୍ବରୁକୁ ମାରି ଘରକୁ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ଡମ୍ବରୁ ଘରକୁ ଯାଇ ଏକ ଟାଙ୍ଗିଆ ଧରି ସଞ୍ଜୀବଙ୍କ ଘର ପାଚେରି ଡେଇଁ ଭିତରକୁ ଯାଇ ଏଭଳି ବୀଭତ୍ସ କାଣ୍ଡ କରି ଚାଲିଯାଇଥିଲେ। ଲୋକମାନେ ଚିତ୍କାର ଶୁଣି ସେଠକୁ ଯାଇଥିଲେ। କିନ୍ତୁ ଘର ଭିତରପଟୁ ବନ୍ଦ ଥିବାରୁ ପୁଲିସକୁ ଖବର ଦେବା ସହ ହିଲଟପ୍‌ରେ ରହୁଥିବା ତା’ର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ସଂଜୀବଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଯାଇଛି।

ସମ୍ବନ୍ଧିତ ଖବର