କର୍ଲାମୁଣ୍ଡା/ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ମଦନପୁର ଆଶ୍ରମ ଛକ (ପିଟାମାଲ ଛକ) ନିକଟରୁ ରୂପେଶ ଅଗ୍ରୱାଲ (୩୬ବର୍ଷ) ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ତାଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦିଆଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଏହି ମାମଲାରେ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଯେ ରିଷିଡ଼ାର ରାଧେଶ୍ୟାମ ଅଗ୍ରୱାଲଙ୍କ ସାନପୁଅ ରୂପେଶ ତାଙ୍କ ସାଙ୍ଗ ବଳରାମ ଦଣ୍ତସେନାଙ୍କ ସହ ମିଶି ମଙ୍ଗଳବାର ସନ୍ଧ୍ୟାରେ ଭୋଜି ଖାଇବାକୁ ବାହାରିଥିଲେ। ରାତି ପର୍ଯ୍ୟନ୍ତ ନ ଫେରିବାରୁ ତାଙ୍କ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ। ତାଙ୍କ ଫୋନ୍‌ ବି ଲାଗୁନଥିଲା। ବୁଧବାର ସକାଳୁ ରୂପେଶଙ୍କ ଶବ ଉକ୍ତ ସ୍ଥାନରୁ ମିଳିଥିଲା।

ମୃତ ରୂପେଶଙ୍କ ବଡ଼ଭାଇ ନରେଶ ଅଗ୍ରୱାଲ ମ.ରାମପୁର ଥାନାରେ ଏତଲା ଦେଇଥିଲେ। କେସିଙ୍ଗା ଏସ୍‌ଡିପିଓ ଏସ. ସୁଶ୍ରୀ, ଥାନାଧିକାରୀ ଜୟଦେବ ତାରିଣୀ, ରିଷିଡ଼ା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ମଧ୍ୟ ପହଞ୍ଚି ତଦନ୍ତ କରିଥିଲେ।

କୌଣସି ବିଷୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ମଙ୍ଗଳବାର ରୂପେଶଙ୍କ ସାଥୀରେ ଯାଇଥିବା ଯୁବକ ବଳରାମ ଦଣ୍ତସେନାଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବୁଧବାର ସନ୍ଧ୍ୟାରେ ରିଷିଡ଼ାଠାରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ କରାଯାଇଛି।