ରାଉରକେଲା: ରାଜସ୍ଥାନ ଅଜମେରରେ ବନ୍ଧମୁଣ୍ଡା ଯୁବକଙ୍କୁ ହତ୍ୟା ଘଟଣାର ତଦନ୍ତ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜୁଏଲ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ଓରାମ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ମୃତ ହରିଶ ତନ୍ତୀ ମୋବାଇଲ ଟାୱାର କମ୍ପାନୀରେ କାମ କରୁଥିଲେ। ଯେତେବେଳେ ଛୁଟିରେ ଘରକୁ ଆସିଥିଲେ, ତାଙ୍କୁ ଗାଜିଆବାଦ୍ରେ କାମ କରିବାକୁ ଡାକରା ଆସିଥିଲା। ଗାଜିଆବାଦ୍ରେ ଟାୱାର କାମ ଶେଷ କରିବା ପରେ ତାଙ୍କୁ ରାଜସ୍ଥାନ ଅଜମେର ଆସିବାକୁ କଲ୍ ଆସିଥିଲା। ଗତ ୧୪ ଜୁଲାଇରେ ଅଜମେରରେ ପହଞ୍ଚିଥିଲେ।
ଠିକ୍ ସେହି ଦିନ ଅପରାହ୍ନ ୨ଟାରେ ହରିଶକୁ ରେଳବାଇ ପୁଲିସ ଗିରଫ କରିଥିବା ନେଇ ତାଙ୍କ ଭାଇ ଗୌରଭ ତନ୍ତୀକୁ କଲ୍ ଆସିଥିଲା। ଗୌରଭ ସ୍ଥାନୀୟ ଆଇନଜୀବୀଙ୍କ ସହ କଥାବାର୍ତ୍ତା କରି ହରିଶକୁ କୋର୍ଟରୁ ଖଲାସ କରିଥିଲେ। ସଂଧ୍ୟାରେ ହରିଶର ମୃତ୍ୟୁ ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଜୁଏଲ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ହରିଶ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ପରିବାର ପକ୍ଷରୁ ଆଶା କରାଯାଇଛି। ଉଲ୍ଲେଖଯୋଗ୍ୟ, ବନ୍ଧମୁଣ୍ଡା ବି ସେକ୍ଟରର ହରିଶ କୁମାର ତନ୍ତୀ (୨୦)କୁ ଅଜମେରରେ ପିଟି ପିଟି ହତ୍ୟା କରାଯାଇଥିବା ବାପା ତାବୁଲ ଅଭିଯୋଗ କରିଥିଲେ। ହରିଶ ଗତ ଗୁରୁବାର ଗାଜିଆବାଦରୁ ରାଜସ୍ଥାନ ଅଜମେରକୁ ଅନ୍ୟ ଏକ ଟାୱାର ବସାଇବାକୁ ଟ୍ରେନ୍ରେ ବାହାରିଥିଲେ। ଅପରାହ୍ଣରେ ଅଜମେରରେ ପହଞ୍ଚିଥିଲେ।
ପିତା ତାବୁଲଙ୍କ କହିବାନୁଯାୟୀ ଟ୍ରେନ୍ରେ ଯାତ୍ରା କରୁଥିବାବେଳେ ଅଜମେର ପହଞ୍ଚିବା ପୂର୍ବରୁ ଚୋରି ଅଭିଯୋଗରେ ତାଙ୍କ ପୁଅକୁ ରେଳବାଇ ପୁଲିସ ଓ ଅନ୍ୟ କିଛି ଯୁବକ ନିର୍ଧୁମ ମାଡ଼ ମାରିଥିଲେ। ପରେ ରେଳବାଇ ପୁଲିସ ହରିଶକୁ ଗିରଫ କରିଥିଲା। କୋର୍ଟରୁ ମୁକୁଳାଇବା ପାଇଁ ଜଣେ ଆଇନୀଜୀ ତାଙ୍କୁ କଲ୍ କରି ୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ଆଇନଜୀବୀଙ୍କ କହିବାନୁଯାୟୀ ସେ ୫ ହଜାର ଟଙ୍କା ମଧ୍ୟ ପଠାଇଥିଲେ। ସଂଧ୍ୟା ପ୍ରାୟ ୫ଟାରେ ହରିଶକୁ କୋର୍ଟରୁ ଜାମିନ ମିଳିଯାଇଥିଲା। କୋର୍ଟରୁ ଜାମିନରେ ମୁକୁଳିବା ପରେ ଆଇନଜୀବୀ ଜଣକ ହରିଶକୁ ଘରକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ବୋଲି କହିଥିଲେ। ହେଲେ ଦୁଇଘଣ୍ଟା ପରେ ଆଜମେର ହସ୍ପିଟାଲରୁ ହଠାତ୍ ହରିଶର ମୃତ ଖବର ଶୁଣି ପରିବାର ଲୋକ ହତବମ୍ବ ହୋଇଯାଇଥିଲେ।