ଜମିବାଡ଼ି ବିବାଦରୁ ଦୁଇ ଭାଇଙ୍କୁ ହତ୍ୟା

ସାନ ଭାଇ ପରେ ଆଖି ବୁଜିଲା ବଡ଼ ଭାଇ

ବନ୍ତଳା: ଜମିବାଡ଼ି ବିବାଦକୁ ନେଇ ଅନୁଗୁଳ ବ୍ଲକ ରନ୍ତଲେଇ ପଞ୍ଚାୟତ ହରିବେରଣୀ ଗାଁରେ ଗତକାଲି ରାତିରେ ଘଟିଥିଲା ବର୍ବର ହତ୍ୟାକାଣ୍ଡ। ଘଟଣାସ୍ଥଳରେ ଗତକାଲି ସାନ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ବଡ଼ ଭାଇ ବି ଆଖି ବୁଜିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଚକିତ କରିଛି। ହତ୍ୟାର ଶିକାର ହୋଇଥିବା ଏହି ଦୁଇ ଭାଇ ହେଲେ ଦୁଃଶାସନ ସେନାପତି(୪୫) ଓ ଦୁଷ୍ମନ୍ତ ସେନାପତି(୩୮)।

ମିଳିଥିବା ସୂଚନା ଅନୁଯାୟୀ, ରନ୍ତଲେଇ ଗ୍ରାମ ପୋଡାଖମଣ ସାହିର ଦୁଃଶାସନ ପ୍ରତିଦିନ ଭଳି ବୁଧବାର ରାତି ପ୍ରାୟ ୮ବେଳେ ୫୫ନମ୍ବର ଜାତୀୟ ରାଜପଥ କଡରେ ଥିବା ହରିବେରଣୀ ଗାଁକୁ ଚା’ ପିଇବାକୁ ଦୋକାନକୁ ଯାଇଥିଲେ। ଜମିବାଡି ଘଟଣାକୁ ନେଇ ସେଠାରେ ତାଙ୍କ ପଡୋଶୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ହେବା ପରେ ପଡୋଶୀଜଣଙ୍କ ଦୁଃଶାସନଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଦୁଃଶାସନ ଗୁରୁତର ହୋଇଥିଲେ। ବଡ଼ ଭାଇଙ୍କର ଏ ପ୍ରକାର ଅବସ୍ଥା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ସାନଭାଇ ଦୁଷ୍ମନ୍ତ ସେଠାକୁ ଯାଇଥିଲେ। କିନ୍ତୁ, ବଡ଼ ଭାଇକୁ ଆକ୍ରମଣ ପରେ ସାନ ଭାଇ ପ୍ରତି ଆହୁରି ନୃଶଂସ କାଣ୍ଡ କରାଯାଇଥିଲା। ପାଖ ପଡୋଶୀ ଦୁଇ ଯୁବକ ଏକ ରାଉଣ୍ଡ ଗୁଳି ମାଡ଼ କରିବା ସହ ଅତି ନୃଶଂସ ଭାବରେ ମୁହଁ ଓ ବେକକୁ ହାଣି ପକାଇଥିଲେ। ଫଳରେ ଘଟଣା ସ୍ଥଳରେ ଦୁଷ୍ମନ୍ତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଦୁଃଶାସନଙ୍କୁ ପରିବାର ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ବଡ଼ ଭାଇଙ୍କର ମଧ୍ୟ ଆଜି ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର