ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତତର୍ଗତ ଫୁଲଝର ପଞ୍ଚାୟତ ରଙ୍ଗମାଟିଆ ଗ୍ରାମରେ ଆଜି ପୁଣି ଆଉ ଏକ ବୀଭତ୍ସ କାଣ୍ଡ ଘଟିଛି। ବଡ଼ ଭାଇ ତାର ସାନ ଭାଇକୁ ଟଙ୍କିଆରେ ହାଣି ଅତି ନୃଶଂସ ଭାବରେ ହତ୍ୟା କରିଛି । ମିଳିଥିବା ସୂଚନା ଅନୁଯାୟୀ, ରଙ୍ଗମାଟିଆ ଗ୍ରାମର ଲୁଣ୍ଡା ମୁଣ୍ଡା ଆଜି ମଦପିଇ ପାଟିତୁଣ୍ଡ କରୁଥିଲା। ଲୁଣ୍ଡାର ସାନ ଭାଇ ଦେବେନ୍ ମୁଣ୍ଡା (୩୮)ର ସ୍ତ୍ରୀ ପାଟିତୁଣ୍ଡ ନକରିବାକୁ କହିଥିଲା। ଏଥିରେ ଲୁଣ୍ଡା ଉତ୍ତ୍ୟକ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ତାର ଭାଇବୋହୂକୁ ହାଣିବାକୁ ଗୋଡ଼େଇ ଥିଲା। ଏଥିରେ ବିଫଳ ହେବାରୁ ଘରେ ଶୋଇଥିବା ଦେବେନକୁ ଟାଙ୍ଗିଆରେ ହାଣି ଦେଇଥିଲା। ଦେବେନଙ୍କ ମୁଣ୍ଡକୁ ଚୋଟ ମାରିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦେବେନକୁ ହତ୍ୟା କରିବା ପରେ ଲୁଣ୍ଡା କେଉଁଆଡେ ଫେରାର ହୋଇଯାଇଛି। ଏଥିନେଇ ପୁଲିସ ଖବର ପାଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନଥିଲା। ଦେବେନ ମୁଣ୍ଡାଙ୍କର ଛୋଟଛୋଟ ୨ ପୁଅ, ୨ ଝିଅ ଏବଂ ସ୍ତ୍ରୀ ବର୍ତ୍ତମାନ ବେସାହାରା ହୋଇପଡିଛନ୍ତି। ଏମାନେ ବର୍ତ୍ତମାନ କିପରି ଚଳିବେ ସେହି କଥା ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି ।

ଉଲ୍ଲେଖଯୋଗ୍ୟ ୨/୩ ବର୍ଷ ପୂର୍ବେ ଏହି ରଙ୍ଗମାଟିଆ ଗ୍ରାମରେ ଡାହାଣୀ ସନ୍ଦେହରେ ଲୋମହର୍ଷକ ଡବଲ ମର୍ଡର ସଂପୃକ୍ତ ଅଞ୍ଚଳକୁ ସ୍ତବ୍ଧ କରିଦେଇଥିଲା। ୨ ମାସ ପୂର୍ବେ ଫୁଲଝର ଗ୍ରାମର ଗଣେଶ୍ବର ଖୁଣ୍ଟିଆଙ୍କ ହତ୍ୟାକାଣ୍ଡ, ଗତମାସ ଦାମୋଦର ମୁଣ୍ଡାଙ୍କ ହତ୍ୟାକାଣ୍ଡ ଆଉ ଆଜି ଦେବେନ ମୁଣ୍ଡାଙ୍କ ହତ୍ୟାକାଣ୍ଡ ସଂପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛିି। ଏହି ସମସ୍ତ ହତ୍ୟାକାଣ୍ଡ ମୂଳରେ ନିରକ୍ଷରତା ଏବଂ ସଚେତନାର ଅଭାବ ରହିଛି । ଏହି ଗ୍ରାମର ଅଧିକାଂଶ ଲୋକ ଆଦିବାସୀ ଶ୍ରେଣୀର ଅଟନ୍ତି । ଜଣେ/ ଦୁଇଜଣଙ୍କୁ ଛାଡିଦେଲେ କେହି ପାଠ ପଢି ନାହାନ୍ତି।

ଏମାନେ ଜଙ୍ଗଲରୁ କାଠ ସଂଗ୍ରହ କରି ବିକ୍ରି କଲେ ତାଙ୍କ ପରିବାର ଚଳେ। ଆଉ ତାଙ୍କର ମୁଖ୍ୟ ଖାଦ୍ୟ ହାଣ୍ଡିଆ। ଏବେ ହାଣ୍ଡିଆ ସହିତ ମହୁଲି ମଦ ପ୍ରବଳ ମାତ୍ରାରେ ବିକ୍ରି ହେଉଛି। ସେହି ମଦକୁ ପିଇ ଏହିପରି ଜଘନ୍ୟ କାଣ୍ଡ ଘଟାଉଥିବା ବେଳେ ମଦ ବେପାରୀଙ୍କୁ ନା ପୁଲିସ ନା ଅବକାରୀ ବିଭାଗ ଧରୁଛି । ଏହି ଗ୍ରାମରେ ପ୍ରଶାସନ ପକ୍ଷରୁ ନିୟମିତ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର