ସମ୍ବଲପୁର: ୨୦୦୧ ମସିହାର ଏକ ହତ୍ୟା ମାମଲାର ଅଭିଯୁକ୍ତ କୁମ୍ଭାରପଡ଼ାର ଗୁଲୁଗୁଲା ଖାନକୁ ବୁଧବାର ରାତିରେ ସମ୍ବଲପୁର ଟାଉନ୍‌ ଥାନା ପୁଲିସ ଗିରଫ କରିଥିଲା। ଡାକ୍ତରୀ ପରୀକ୍ଷା କରାଯିବା ପରେ ପୁଲିସ ଗୁଲଗୁଲାକୁ କୋର୍ଟଚାଲାଣ କରିବାକୁ ଫାଷ୍ଟ୍‌ ଏଡିଜେ କୋର୍ଟକୁ ନେଇଥିଲା। ତେବେ କୋର୍ଟ ପରିସରରେ ଗୁଲଗୁଲା ପରିସ୍ରା କରିବା କଥା କହି ଶୌଚାଳୟ ଭିତରକୁ ଯାଇଥିଲା। ବାହାରେ ପୁଲିସ ଜଗିଥିଲା। ହେଲେ ଗୁଲଗୁଲା ଶୌଚାଳୟ ସ୍କାଏଲାଇଟ୍‌ ଭାଙ୍ଗି ଚମ୍ପଟ ମାରିଥିଲା। ପୁଲିସ କର୍ମଚାରୀ ଜାଣିବା ବେଳକୁ ସେ ଫେରାର ହୋଇସାରିଥିଲା। ଏ ନେଇ ସୂଚନା ମିଳିବା ପରେ ଟାଉନ୍‌ ଥାନା ପୁଲିସ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ରାତି ସାଢ଼େ ୯ଟା ପାଖାପାଖି ଅଭିଯୁକ୍ତ ଗୁରଗୁଲାକୁ ପୁଲିସ ପୀରବାବା ଛକ ନିକଟରୁ ଗିରଫ କରିଥିଲା।

Advertisment

ପୁଲିସ ସୂଚନା ଅନୁଯାୟୀ, ଗୁଲଗୁଲା ୨୦୦୧ ମସିହାର ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲା। ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସମ୍ବଲପୁର ଜେଲ୍‌ରେ ରହିଥିଲା। ୨୦୧୦ ମସିହାରେ ସେ ଜାମିନରେ ବାହାରିଥିଲା। ପରେ ସେ କୋର୍ଟରେ ନିୟମିତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ କୋର୍ଟରେ ହାଜର ନହେବାରୁ ତା’ ନାଁରେ ଵାରେଣ୍ଟ ଜାରି କରାଯାଇଥିଲା। ଉକ୍ତ ଵାରେଣ୍ଟ ଆଧାରରେ ଟାଉନ୍‌ ଥାନା ପୁଲିସ ଗୁଲଗୁଲାକୁ ଗିରଫ କରିଥିଲା।

କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ହେବା କଥା ସମ୍ବଲପୁର ପୁଲିସ ପାଇଁ ନୂଆ ନୁହେଁ। ଗତ ବର୍ଷ ଅଗଷ୍ଟ ୧୧ ତାରିଖ ଦିନ ସମ୍ବଲପୁର ଜିଲ୍ଲା କତରବଗା ଥାନା ପୁଲିସ ଏକ ଚୋରି ମାମଲାରେ ସୁନୀଲ ନାୟକକୁ କୋର୍ଟଚାଲାଣ କରିବା ପାଇଁ ସମ୍ବଲପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ନେଇଥିଲା। ପରିସ୍ରା ବାହାନା କରି ପୁଲିସକୁ ଚକ୍‌ମା ଦେଇ ସୁନୀଲ କୋର୍ଟ ପରିସରରୁ ଚମ୍ପଟ ମାରିଥିଲା। ପରେ ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା।