ଯାଜପୁରଟାଉନ: ସାମାନ୍ୟ ବଚସାରୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରିବା ଘଟଣାରେ ଯାଜପୁର ସଦର ଥାନା ଲଙ୍କାବାଲିସାହି ଗ୍ରାମର ତ୍ରୈଲୋକ୍ୟନାଥ ସାହୁ (୩୫)କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୭ ମାର୍ଚ୍ଚ ୨୭ ତାରିଖରେ ସଦର ଥାନା ଅଧୀନ ଖଣ୍ଡାସ୍‌ ଗ୍ରାମର ଛନକ ମଲ୍ଲିକଙ୍କ ପୁଅ ଭୀମସେନ ମଲ୍ଲିକ(୨୪)ଙ୍କୁ ସେ ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଜି ଯାଜପୁରର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୁନୀଲ କୁମାର ଦାସ ଶୁଣାଣି କରି ତ୍ରୈଲୋକ୍ୟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି।

Advertisment

ମାମଲାର ବିବରଣୀ ଅନୁସାରେ ତ୍ରୈଲୋକ୍ୟ ଓ ଭୀମସେନ ପାଖାପାଖି ଥିବା ନିଜନିଜ ଜମିରେ ଚିନାବାଦାମ ଚାଷ କରିଥିଲେ। ଭୀମସେନ ବାଦାମ ଉପାଡ଼ି ବିଲରେ ରଖିଥିଲେ। ତ୍ରୈଲୋକ୍ୟ ସେଥିରୁ କିଛି ନେଇଯିବାରୁ ଉଭୟଙ୍କ ମଧ୍ୟରେ ୨୦୧୭ ମାର୍ଚ୍ଚ ୨୪ ରେ ବଚସା ହୋଇଥିଲା। ସେଦିନ ତ୍ରୈଲୋକ୍ୟ ହତ୍ୟା ଧମକ ଦେଇଥିଲା। ୩ ଦିନ ପରେ ଭୀମସେନ ଓ ତାଙ୍କ ସହଯୋଗୀ ଅକ୍ଷୟ ମଲ୍ଲିକ ବିଲ କାମ ସାରି ଫେରୁଥିବାବେଳେ ତ୍ରୈଲୋକ୍ୟ ନିଜ ଟ୍ରାକ୍ଟର ନେଇ ଉଭୟଙ୍କ ଉପରେ ଚଢ଼ାଇ ଦେଇଥିଲା। ଭୀମସେନଙ୍କ ମୃତ୍ୟୁ ହୋଇଥିଲା ଏବଂ ଅକ୍ଷୟଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଏନେଇ ଭୀମଙ୍କ ବଡ଼ଭାଇ ଉପେନ୍ଦ୍ର ମଲ୍ଲିକ ସଦର ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନଂ ୫୭/୧୭ ରୁଜୁ କରି ଦଫା ୩୦୨/୩୦୭ ଓ ୩୪ ଆଇପିସିରେ ତ୍ରୈଲୋକ୍ୟକୁ ଗିରଫ କରିଥିଲା। ଏହି ମାମଲାରେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୁନୀଲ କୁମାର ଦାସ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରୁଥିଲେ।