ରାୟଗଡା: ରାୟଗଡା ସହରର ଛକ ମାନଙ୍କରେ ଏବେ ଛତୁର ପସରା। ଜିଲ୍ଲାରେ ବର୍ଷା ଓ ଘଡଘଡି ନଥିବାରୁ ଜିଲ୍ଲାରେ ଚଳିତ ବର୍ଷ ଶ୍ରାବଣ ଛତୁର ସ୍ବାଦ ଲୋକେ ଆଉ ପାଇ ପାରିବେ ନାହଁ ବୋଲି ଭାବି ନେଇଥିଲେ। ଡେରିରେ ହେଲେ ମଧ୍ୟ ବଜାରରେ ଶ୍ରାବଣ କଢର ପସରା ଦେଖିବାକୁ ମିଳିଛି। ତେବେ ଦାମ କିନ୍ତୁ ଆକାଶ ଛୁଆଁ। ସକାଳେ ଛତୁର ଦାମ କିଲୋ ପ୍ରତି ୮୦୦ରୁ ୧ ହଜାର ପର୍ଯ୍ୟନ୍ତ ରହିଥିବା ବେଳେ ସଂଧ୍ୟାରେ ଏହାର ଦାମ କମି କିଲୋ ପ୍ରତି ୪୦୦ ଟଙ୍କାରେ ପହଞ୍ଚୁଛି। ବର୍ଷକୁ ଥରେ ଏହି ଛତୁ ବାହାରୁ ଥିବାରୁ ଲୋକେ ଏହାରର ଦାମ ନଦେଖି ଖରିଦ କରି ନେଉଥିବା ଦେଖିବାକୁ ମିଳିଛି। ଲୋକଙ୍କର ଚାହିଦାକୁ ଦେଖି ବେପାରୀ ମାନେ ମଧ୍ୟ ଏହାର ଦାମକୁ ବଢାଇ ଚାଲିଛନ୍ତି।ଦୁର୍ଗମ ଅଞ୍ଚଳରୁ ଅତି କମ୍ ଦାମରେ ବେପାରୀ କିଣି ଆଣି ଏହାକୁ ସହରରେ ଚଢା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ଶ୍ରାବଣ କଢର ମଜା ବର୍ଷକୁ ଥରେ ଆସୁଥିବାରୁ ଏହାକ ହାତ ଛଡା କରିବାକୁ ଚାହୁଁ ନାହାନ୍ତି ଗ୍ରାହକ। ତେବେ ଗରିବ ଶ୍ରେଣୀର ଲୋକେ ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଦାମ କମିଲେ ଛତୁ କିଣି ନେଉଥିବା ଦେଖିବାକୁ ମିଳିଛି।ସ୍ଥାନୀୟ ବାସନ୍ଦା ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ ବର୍ଷକୁ ଥରେ ଛତୁ ବଜାରକୁ ଆସୁଥିବାରୁ ଏବଂ ଏହାର ସ୍ବାଦ ଅନ୍ୟ ଛତୁ ଠାରୁ ସୁସ୍ବାଦୁ ହୋଇଥିବାରୁ ଏହାକୁ ଯେତେ ଦାମ ହେଲେ ମଧ୍ୟ କିଣି ନେବାକୁ ବାଧ୍ୟ ହେଉଛୁ। ତେବେ ଆଗକୁ ହୁଏତ ଦାମ କମି ପାରେ ବୋଲି କୁହାଯାଇଛି। ଲଘୁଚାପ ଜନିତ ବର୍ଷ ଏବଂ ଘଡଘଡି ହେଉଥିବାରୁ ହୁଏତ ଆଗକୁ ଆହୁରି ଶ୍ରାବଣ କଢ ବଜାରକୁ ଆସିବା ସହ ଦାମ କମିପାରେ ବୋଲି ଲୋକେ ଆଶା ପ୍ରକଟ କରିଛନ୍ତି।ସହରରେ ଥିବା ହୋଟେଲ ଗୁଡିକରେ ମଧ୍ୟ ଶ୍ରାବଣ କଢର ତରକାରୀ ମିଳୁଥିବା ବେଳେ ଏହାର ଦାମ ଅଧିକା ରହିଥିବାରୁ ଲୋକେ କିଣିବାକୁ ଏକ ପ୍ରକାର କୁଣ୍ଠାବୋଧ କରୁଥିବା ଲକ୍ଷ୍ୟ କରାଯାଇଛି। ତେବେ ଘରେ ପରିବାର ସହ ମିଳିମିଶି ଏହି ଛତୁର ମଜା କିନ୍ତୁ ନିଆରା ବୋଲି ସ୍ଥାନୀୟ ବାସିନ୍ଦା ମୃତ୍ୟୁଞ୍ଜୟ ନନ୍ଦ ପ୍ରକାଶ କରିଛନ୍ତି। ତେବେ ଆଗକୁ ଶ୍ରାବଣ ଛତୁର ଦାମ କମୁଛି ନା ବଢୁଛି ଦେଖିବାକୁ ବାକି ରହିଲା।