ମାଲକାନଗିରିରେ ଶ୍ରାବଣ ଛତୁର ପସରା; ଆଦିବାସୀଙ୍କ ରୋଜଗାରର ଆଉ ଏକ ଜରିଆ

କିଲୋ ୬୦୦ ଟଙ୍କା

ମାଲକାନଗିରି: ମାଲକାନଗିରି ସହରରେ ଏବେ ଶ୍ରାବଣ ଛତୁର ପସରା। ଗତ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଯେଉଁ ପରିମାଣରେ ଛତୁ ବଜାରକୁ ଆସିବା କଥା ସେହି ପରିମାଣରେ ଆସି ପାରୁନାହିଁ। ବର୍ଷା ଛାଡିବା ପରେ ଖରା ହେବା ମାତ୍ରେ ବଜାରକୁ ଛତୁର ସମ୍ଭାର ଦେଖିବାକୁ ମିଳିବ ବୋଲି ସ୍ଥାନୀୟ ଲୋକେ କହନ୍ତି। ପ୍ରତିବର୍ଷ ଏହି ସମୟରେ ଏହି ଶ୍ରାବଣ ଛତୁ ଫୁଟିଥାଏ। ଜଙ୍ଗଲରେ ସନ୍ତସନ୍ତିଆ ଜାଗା ଏବଂ ଗଛ ତଳେ ଉର୍ବର ମାଟିରେ ଏହି ଛତୁ ଫୁଟିଥାଏ। ସ୍ଥାନୀୟ ଅଂଚଳର ଗ୍ରାମବାସୀ ଜଂଗଲରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସମୟରେ ଏହି ଛତୁକୁ ସଂଗ୍ରହ କରିଥାନ୍ତି।

ଆଦିବାସୀ ସମ୍ପ୍ରଦାୟର ମହିଳା ପୁରୁଷ ଛତୁ ସଂଗ୍ରହ କରିବା ପରେ ଏହାକୁ ବଜାରରେ ବିକ୍ରି କରିଥାନ୍ତି। ତେବେ ଏହି ଛତୁ ନିଜେ ବଜାରକୁ ନେଇ ବିକ୍ରି କରିବା ପୂର୍ବରୁ ସେମାନଙ୍କ ନିକଟରେ ଦଲାଲ ମାନେ ପହଞ୍ଚି ଯାଇଥାନ୍ତି। କମ୍ ଟଙ୍କାରେ ଏହି ଛତୁ ଖରିଦ କରି ବଜାରରେ ଚଢା ଦରରେ ବିକ୍ରି କରିଥାନ୍ତି। ମାଲାକନଗିରି ବ୍ଲକକୁ ଲାଗି ରହିଥିବା ସୀମାନ୍ତ ଛତିଶଗଡକୁ ଲାଗି ରହିଥିବା ଗ୍ରାମ ଗୁଡିକର ଲୋକେ ଜଙ୍ଗଲରୁ ଶ୍ରାବଣ ଛତୁକୁ ସଂଗ୍ରହ କରି ବିଡା ବିଡା କରିଥାନ୍ତି। ଗୋଟିଏ ବିଡାକୁ କୋଡିଏ ଟଙ୍କା ନେଉଥିବା ବେଳେ ଦଲାଲ ତାହାକୁ କିଣି ବଜାରରେ ୬ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଚଳିତବର୍ଷ ପ୍ରଥମକରି ଏହି ଛତୁ ବାହାରିଥିବାରୁ ଲୋକେ ମଧ୍ୟ ଦାମକୁ ନଦେଖି ଛତୁ ଖରିଦ କରି ନେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦା ଜିତେନ୍ଦ୍ର ଏବଂ ତ୍ରିଲୋଚନଙ୍କ କହିବା ହେଲା ପ୍ରତିବର୍ଷ ଏହି ଛତୁକୁ ଆମେ ଯାହା ଦାମ ଥିଲେ ମଧ୍ୟ କିଣି ନେଇଥାଉ। ପରିବାରରେ ସମସ୍ତେ ଏହି ଛତୁ ଖାଇବା ପାଇଁ ଅପେକ୍ଷା କରି ରହିଥାନ୍ତି।

ବଜାରରେ ମିଳୁଥିବା କୃତ୍ରିମ ଛତୁ ଠାରୁ ଏହା ଢେର ସୁସ୍ବାଦୁ। ତେଣୁ ଲୋକେ ବର୍ଷ ତମାମ କୃତ୍ରିମ ଛତୁ ଖାଇ ଏକ ପ୍ରକାର ପାଟିକୁ ଖରାପ କରିସାରିଥିବା ବେଳେ ଶ୍ରାବଣ ଛତୁ ଖାଇ ସେହି ପାଟିକୁ ପୁଣି ସ୍ବାଦଯୁକ୍ତ କରିଥାନ୍ତି ବୋଲି କହନ୍ତି। ପ୍ରତିବର୍ଷ ମହୁଲ, ଟୋଲା, ଝୁଣା, ମହୁ ଭଳି ଜଙ୍ଗଲିଜାତ ଦ୍ରବ୍ୟକୁ ଆଦିବାସୀ ଭାଇଭଉଣୀ ମାନେ ବଜାରରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରୁଥିବା ବେଳେ ଏବି ଶ୍ରାବଣ ଛତୁ ମଧ୍ୟ ସେଥିରେ ଯୋଡି ହୋଇଛି। ପ୍ରତିବର୍ଷ ଜଙ୍ଗଲରେ ଏହି ଛତୁ ସଂଗ୍ରହ କରି ଜଣେ ଜଣେ ୫ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ତେବେ ଦଲାଲ କିନ୍ତୁ ପ୍ରତିବର୍ଷ ୫୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ କମାଇଥାନ୍ତି। ତେବେ ସାଧାରଣ ଲୋକେ ଏହି ଛତୁକୁ ଖାଇବାକୁ ହେଲେ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ।କାରଣ ଛତୁର ସମ୍ଭାର ଯେତେବେଳେ ବେଶି ହେବ ସେତେବେଳେ ଦାମ ମଧ୍ୟ କମି ଯାଇଥାଏ। ତେବେ ଏହି ଦାମ କେବେ କମିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର