ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କୋଇଲାଖଣି ନିକଟରେ ଭାରସାମ୍ୟ ହରାଇ ବିବାହ କର୍ଯ୍ୟକ୍ରମକୁ ଯାଉଥିବା ବଜାପାର୍ଟି ପିକଅପ ଗାଡି ଓଲଟିପଡିଛି। ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ବାରମଞ୍ଚା ଗ୍ରାମର ୨୦ ଜଣ ବାଜାଵାଲାଙ୍କୁ ନେଇ ପିକଅପ (ଓଡ଼ି-୦୫-ଏବି-୯୪୦୮) ନୂଆପଡା ଗ୍ରାମରୁ କଙ୍କରେଇ ଗ୍ରାମକୁ ବିବାହ କାର୍ଯ୍ୟକ୍ରମରେ ବାଜା ବଜେଇବାକୁ ଯାଉଥିଲେ। ଯିବା ବାଟରେ ଛେଣ୍ଡିପଦା କୋଇଲାଖଣି ନିକଟ ପୋଲ ଠାରେ ଭରସାମ୍ୟ ହରେଇ ଗାଡି ଓଲଟିପଡିଥିଲା।
ଦୁର୍ଘଟଣାରେ ତହସିଲଦାର ଡାନିଏଲ ଏକ୍କାଙ୍କ ଉପସ୍ଥିତିରେ ବାରମଞ୍ଚା ଗ୍ରାମର ଟୁନା ମୁଖୀ(୩୦), ମୁନା ମୁଖୀ(୨୪), ଶୁକ୍ରୁ ମୁଖୀ(୨୩), ସିପୁନ ମୁଖୀ(୧୦), ଲିପୁନ ମୁଖୀ(୧୨), ଯାଦବ ମୁଖୀ(୩୫), ପର୍ଶୁ ମୁଖୀ(୪୫), କୁନା ମୁଖୀ(୨୭), ଅଜୁ ମୁଖୀ(୧୧), ରାଜୁ ମୁଖୀ(୧୩), ଜଗା ମୁଖୀ(୧୦), ଶୁଭ ମୁଖୀ(୧୩), ସିଦ୍ଧାନ୍ତ ମୁଖୀ(୧୫), କୋହ୍ଲ ମୁଖୀ(୩୫), ଦୁଃଶାସନ ମୁଖୀ(୨୬), ପାତ୍ରପଡା ଗ୍ରାମର ଗଗନ ମୁଖୀ(୨୮), ଆଉଁଳି ଗ୍ରାମର କନ୍ଦର୍ପ ମୁଖୀ(୩୫), ବାଲ୍ମୀକି ମୁଖୀ(୪୦) ଗୁରୁତର ହୋଇଥିଲେ। ସେମାନଙ୍କୁ ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଥି ମଧ୍ୟରୁ ଅବସ୍ଥା ଗୁରୁତର ଥିବାରୁ ବାଲ୍ମୀକି ମୁଖୀ, କାଳିଆ ମୁଖୀ, କନ୍ଦର୍ପ ମୁଖୀ, କୁନା ମୁଖୀ, ଦୁଃଶାସନ ମୁଖୀ, ସିଦ୍ଧାନ୍ତ ମୁଖୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରି ଘଟଣାର ତଦନ୍ତ ଚଳେଇଛି।