ଚାରୋଟି ଭାଷାକୁ ଉଭୟ ହାତରେ ଲେଖି ଏବେ ଚର୍ଚ୍ଚାରେ ଜଟଣୀର ମୁସକାନ୍ ବେହେସିନ

ଜଟଣୀ: ମହାଭାରତର ଅର୍ଜୁନଙ୍କୁ ସବ୍ୟସାଚୀ କୁହାଯାଏ କାରଣ ସେ ଉଭୟ ହସ୍ତରେ ଧନୁତୀର ଚଳାଇବାରେ ଦକ୍ଷ ଥିଲେ। ଯଦି ସମଗ୍ର ପୃଥିବୀର ଲୋକ ସଂଖ୍ୟା ୮୦୦ କୋଟି ତେବେ ଏହାର ୧ ପ୍ରତିଶତ ଲୋକ ଅର୍ଥାତ୍ ୮ କୋଟି ଲୋକ ଏଭଳି ଉଭୟହସ୍ତ ଅଟନ୍ତି। ଏହି ଦୃଷ୍ଟିରୁ ଯଦି ଓଡ଼ିଶାର ଜନସଂଖ୍ୟା ସାଢ଼େ ୪ କୋଟି ତେବେ ୪ଲକ୍ଷ ୫୦ ହଜାର ଲୋକ ଏହି ବିରଳ ଜନ୍ମଗତ ପ୍ରତିଭାଧାରୀ ଅଟନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀର ମୁସକାନ୍ ବେହେସିନ ଏଭଳି ଏକ ପ୍ରତିଭାର ଅଧିକାରିଣୀ ଅଟନ୍ତି। ସେ ନିଜର ଏହି ପ୍ରତିଭା କୌଣସି ଗୋଟିଏ ଭାଷାରେ ସୀମିତ ରଖିନାହାନ୍ତି। ହିନ୍ଦି, ଇଂରାଜୀ ଓ ଉର୍ଦ୍ଦୁ ଭାଷାରେ ମଧ୍ୟ ଅନୁରୂପ ସୁନ୍ଦର ଭାବେ ଅତି ସାବଲୀଳ ଭାବେ ଲେଖିପାରନ୍ତି।

ଜଟଣୀ ତରାବୋଇରେ ରହୁଥିବା ସେକ୍ ସମ୍ସେର ଓ ସୁରକିଦା ବାନୋଙ୍କ ଝିଅ ମୁସକାନ୍। ବର୍ତ୍ତମାନ ସେ ପ୍ରାଣନାଥ କଲେଜରେ ପଦାର୍ଥ ବିଜ୍ଞାନରେ ଯୁକ୍ତତିନି ଛାତ୍ରୀ। ଛୋଟ ପିଲାବେଳୁ ଉଭୟ ହସ୍ତରେ କାମ କରିବା ଓ ଲେଖିବାର ଗୁଣ ବିକଶିତ ହୋଇଥିଲା। କିନ୍ତୁ ତାଙ୍କ ମା ଏହାଦ୍ୱାରା ପିଲାର ବିକାଶ ଓ ପାଠପଢ଼ାରେ ସମସ୍ୟା ହେବ ବୋଲି ଏକ ଭ୍ରାନ୍ତଧାରଣାରେ ଏହି ପ୍ରତିଭାକୁ ଆକଟ କରି ବନ୍ଦ ଦେଇଥିଲେ। କିନ୍ତୁ ଯେତେବେଳେ ସେ କଲେଜରେ ପଢ଼ିଲେ ପୁଣି ଏହି ପ୍ରତିଭା ପ୍ରତି ମୁସକାନ୍‌ଙ୍କ ସ୍ୱଭାବତଃ ଆଗ୍ରହ ସୃଷ୍ଟି ହେଲା। ଧୀରେ ଧୀରେ ଇଂରାଜୀ, ହିନ୍ଦି, ଓଡ଼ିଆ ଓ ଉର୍ଦ୍ଦୁ ଭାଷାରେ ଉଭୟ ହାତରେ ଲେଖିବା ଆରମ୍ଭ କଲେ। ତାଙ୍କର ଏହି ପ୍ରତିଭା ପାଇଁ ଏବେ ସେ ନିଜ ଗାଁ ଠାରୁ କଲେଜ ଯାଏଁ ଚର୍ଚ୍ଚାରେ ରହିଛି। ତାଙ୍କ ବାପା ସେକ୍ ସମସେର ଜଣେ ଘରୋଇ ଠିକା କର୍ମଚାରୀ ହେଲେ ହେଁ ନିଜ ସମ୍ପ୍ରଦାୟର ସାମାଜିକ କଟକଣା, ଆର୍ଥିକ ଅନଟନ ଆଦିକୁ ପଛରେ ପକାଇ ଝିଅର ପ୍ରତିଭାକୁ ସ୍ୱୀକୃତି ଦେଇ ଏହାର ବିକାଶ ପାଇଁ ଉଦ୍ୟମ କରିଥିଲେ।

Sambad

କେବଳ ଏହା ନୁହେଁ ଝିଅକୁ ଉଚ୍ଚ ଶିକ୍ଷା ଦେବାରେ କୌଣସି ହେଳା କରିନଥିଲେ। ମୁସକାନ୍ ମଧ୍ୟ ନିଜ ଭବିଷ୍ୟତ ପ୍ରତି ଯଥେଷ୍ଟ ସଚେତନ ଓ ବାପାଙ୍କ ତ୍ୟାଗକୁ ଉଚିତ ସମ୍ମାନ ଦେଇଛନ୍ତି। ପାଠପଢ଼ା ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଛି। ପ୍ରତିଦିନ ୧୫ କିଲୋମିଟର ସାଇକଲରେ କଲେଜ ଓ କୋଚିଂ ଯାଇ ଘରକୁ ଫେରନ୍ତି। ସେ ନିଜର ଏହି ପ୍ରତିଭା ସମ୍ପର୍କରେ କହନ୍ତି, ଏହି ପ୍ରତିଭାକୁ ନେଇ ସେ ବିଶ୍ୱଦରବାରରେ ପହଂଚାଇବାକୁ ଚାହାଁନ୍ତି। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହେବାକୁ ଚେଷ୍ଟା କରୁଛନ୍ତି। ନିଜର ଭବିଷ୍ୟତ ସମ୍ପର୍କରେ ସେ କହିଛନ୍ତି ଯେ, ଭାରତୀୟ କିମ୍ବା ରାଜ୍ୟ ଲୋକସେବା ଆୟୋଗର ଅଧିକାରୀ ହେବା ପାଇଁ ତାଙ୍କର ଇଚ୍ଛା ରହିଛି। ଏହାଦ୍ୱାରା ସେ ଦେଶର ଓ ରାଜ୍ୟର ଲୋକଙ୍କୁ ସହାୟତା ଦେଇପାରିବେ। କିନ୍ତୁ ତାଙ୍କର ଆର୍ଥିକ ଅନଟନ ଯୋଗୁଁ ସେ କୌଣସି ଭଲ ଅନୁଷ୍ଠାନରେ କୋଚିଂ ନେଇ ପାରୁନାହାନ୍ତି।

ସମ୍ବନ୍ଧିତ ଖବର