ସୁନ୍ଦରଗଡ଼: ୧୯୭୪ରେ ୮ ବର୍ଷ ବୟସରେ କଟକରୁ ସୁନ୍ଦରଗଡ଼ ଆସି ଧର୍ମଶାଳା ଦୁର୍ଗାପୂଜା ମେଢ଼ ତିଆରି କରିଥିଲେ ଖୋକୁ ବକ୍ସ। ସେଦିନ ସେ ମୁସଲିମ ବାଳକଙ୍କ କଅଁଳ ହାତର ଯାଦୁ ଦେଖି ଚମକି ପଡ଼ିଥିଲା ସୁନ୍ଦରଗଡ଼। ଆଖି ଝଲସା କାରୁକାର୍ଯ୍ୟ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମନ କିଣି ନେଇଥିଲା। ପ୍ରଶଂସାରେ ପୋତି ପକାଇଥିଲେ ଲୋକେ। ସେତେବେଳେ ମେଢ଼ ବାବଦକୁ ସେ ନେଇଥିଲେ ମାତ୍ର ୭ ଶହ ଟଙ୍କା। ତା’ ପରଠୁ ଖୋକୁ ୪୨ ବର୍ଷ ଧରି ଅତି ନିଷ୍ଠାର ସହ ଧର୍ମଶାଳା ଦୁର୍ଗାପୂଜା ମେଢ଼ ଓ ଦେବୀ ପ୍ରତିମାଙ୍କ ମୁକୁଟ, ଅଳଙ୍କାର ଆଭୂଷଣ ତିଆରି କରି ଆସୁଛନ୍ତି।
୪୨ ବର୍ଷର ଏ ଲମ୍ବା ଯାତ୍ରା ମଧ୍ୟରେ ସେ ପୂଜା କମିଟିର ଏକ ସଦସ୍ୟ ହୋଇଯାଇଛନ୍ତି। ଏବେ ମେଢ଼, ମୁକୁଟ ଖର୍ଚ୍ଚ ଲକ୍ଷାଧିକ ଟଙ୍କା ହୋଇଥିଲେ ମଧ୍ୟ ଦେବୀଙ୍କ ପୂଜାରେ ସାମିଲ ହେବା କି ସାମାନ୍ୟ ସେବା ଦେବା ସୌଭାଗ୍ୟର କଥା କହି ସେ ତାର ଅଧା ମୂଲ୍ୟ ନେଇଥାନ୍ତି। ହିନ୍ଦୁ ଦେବାଦେବୀଙ୍କ ପୂଜାରେ ମୁସଲିମ ହାତର ମେଢ଼ କେବଳ ଉତ୍ସବସ୍ଥଳର ଶୋଭା ବଢ଼ାଇଛି ତାହା ନୁହେଁ, ଦେଇଚାଲିଛି ସାମ୍ପ୍ରଦାୟିକ ସଦ୍ଭାବ ଓ ଭାଇଚାରାର ନିଆରା ବାର୍ତ୍ତା। ଏହି ଅବସରରେ ଚଳିତ ବର୍ଷ ଧର୍ମଶାଳା ପୂଜା ମଣ୍ଡପରେ କାରିଗର ଖୋକୁ ଓ ତାଙ୍କ ପତ୍ନୀ ରୁକସାର ପରବିନଙ୍କୁ ସମ୍ବର୍ଦ୍ଧିତ କରିଛି ପୂଜା କମିଟି।
କଟକ ବକ୍ସିବଜାର ବଢ଼େଇ ସାହିର ଖୋକୁ ୧୯୭୪ରେ ସୁନ୍ଦରଗଡ଼ ଆସି ସରକାରୀ ବସଷ୍ଟାଣ୍ଡରେ ବିଶ୍ବକର୍ମା ପୂଜା ମେଢ଼ ତିଆରି କରିଥିଲେ। ସେତେବେଳେ ଧର୍ମଶାଳା ଦୁର୍ଗାମେଢ଼ ତିଆରି କରିବାକୁ ପୂଜା କମିଟି ଅନୁରୋଧ କରିଥିଲେ। ପ୍ରଥମ ବର୍ଷ ସେ ଚାନ୍ଦି ରଙ୍ଗର ମେଢ଼ ତିଆରି କରିଥିଲେ। ୧୯୮୩ ପର୍ଯ୍ୟନ୍ତ ସେ ଏକା ଆସି ମେଢ଼, ମୁକୁଟ ତିଆରି କରୁଥିବାବେଳେ ୧୯୮୪ରୁ ୧୯୯୪ ପର୍ଯ୍ୟନ୍ତ ତାଙ୍କ ବାପା ହୁସେନ ବକ୍ସ ସାମିଲ ହୋଇଥିଲେ। ସେତେବେଳେ ସେମାନେ ମେଢ଼ ଖର୍ଚ୍ଚ ନେଇଥିଲେ ୧୩ ଶହରୁ ୧୫ ଶହ ଟଙ୍କ। ୨୦୦୧ରେ ବାପାଙ୍କ ଦେହାନ୍ତ ପରେ ଖୋକୁ ପୁଣି ଏକା ଆସି ମେଢ଼ ତିଆରି କରି ଯାଉଛନ୍ତି। କଟକ ସହରର ତାରକସି ଅନୁରୂପ ଏହି ମେଢ଼ କାମ ବୋଲି କହନ୍ତି ସେ। ମୁସଲିମଙ୍କ ମହରମ ପର୍ବରେ ତାଜିଆ ତିଆରି କରୁକରୁ ସେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ମେଢ଼, ମୁକୁଟ ତିଆରି ପାଇଁ ଡାକରା ପାଇଥିଲେ। ତା’ ପରଠୁ ସେ କେବେ ପଛକୁ ହଟି ନାହାନ୍ତି।
କେବଳ ପୂଜା ମେଢ଼ ନୁହେଁ, ବିବାହ ମୁକୁଟ, ପାଲିଙ୍କି ସବାରି, ରାକ୍ଷୀ, ପଗଡ଼ି ତିଆରି କରନ୍ତି। ଘରେ ସ୍ତ୍ରୀ’ ଲୋକମାନେ ବିବାହ ମକୁଟ ତିଆରି କରନ୍ତି। ଯାହା ସାରା ଓଡ଼ିଶା ଓ ଓଡ଼ିଶା ବାହାରେ ବିକ୍ରି ହୋଇଥାଏ। ମୁକୁଟ ପ୍ରତି ଶହେରୁ ୩ ଶହ ଟଙ୍କା ପାରିଶ୍ରମିକ ମିଳେ। ମେଢ଼ ପାଇଁ ବାଉଁଶ ପାତିଆର ଛାଞ୍ଚ ତିଆରି ପରେ ଗୁଜରାଟର ଗୁଲିଏନ ନାମକ ତମ୍ବାର ଏକ ଜିନିଷ, ଶୁଖିଲା ମହୁଫେଣାରୁ ପ୍ରସ୍ତୁତ ମହମ, ଜଳନ୍ଧରର ପାଇନ ଗଛର ଅଠା ଗନ୍ଧମିରିଜା, ଫରିଦାବାଦର ରଙ୍ଗୀନ ମାଳି, ଆନ୍ଧ୍ରର କାର୍ଡବୋର୍ଡ ଲାଗେ। କଟକର ମୁସଲିମ ଓ ଅଣମୁସଲିମ ପ୍ରାୟ ୧୩୦ ପରିବାର ଏ କାମରେ ନିୟୋଜିତ। ଚାନ୍ଦୁଆ, ଶିଂଗ କାମ, ତାରକସି, ବଢ଼େଇ, ମାଟି କାରିଗର, ଜୋତା କାରିଗରଙ୍କୁ ସରକାର ସହାୟତା ଦେଲେ, ହେଲେ ମେଢ଼ କାରିଗର ବଞ୍ଚିତ ହୋଇ ଦୁର୍ଦ୍ଦଶା ଭୋଗୁଥିବା କହନ୍ତି ଖୋକୁ।