ପାଟଣାଗଡ଼: କିଛିଦିନ ପୂର୍ବରୁ ରାମନବମୀ ସରିଛି। ରାମ ନବମୀ ହିନ୍ଦୁମାନଙ୍କ ଏକ ଗଣପର୍ବ ହୋଇଥିବା ବେଳେ ଅନେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ରାମଲୀଳା ଅନୁଷ୍ଠିତ ହୋଇଥାଏ। ତେବେ ରାମଲୀଳା ଯେ କେବଳ ହିନ୍ଦୁମାନେ କରନ୍ତି ତା’ ନୁହେଁ ବରଂ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ମଧ୍ୟ ଏହି ରାମଲୀଲାର ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେବା ତଥା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହୁଥିବା ଦେଖିବାକୁ ମିଳିଛି। ପାଟଣାଗଡ଼ ବ୍ଲକ ତମିଆଁ ଗ୍ରାମରେ ଦୀର୍ଘ ଶହେ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଥିବା ରାମଲୀଳା ଏହାର ଏକ ଉଦାହରଣ।
ରାମ ନବମୀରେ ପ୍ରଭୁ ରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା ସହ ଦେଶର ବିଭିନ୍ନ ସ୍ଥାନରେ ରାଲି/ଶୋଭାଯାତ୍ରା, ପୂଜା, ନାମଯଜ୍ଞ, ହୋମ, ରାମଲୀଳା ମଞ୍ଚ ଅଭିନୟ ଆଦି କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ଅଞ୍ଚଳରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଇ ଆସୁଛି। ଉକ୍ତ ବ୍ଲକର ତମିଆଁରେ ୧୦୦ ବର୍ଷ ହେଲା ହେଉଥିବା ରାମଲୀଳାରେ ସଂଖ୍ୟାଲଘୁଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କମିଟିରେ ବି ଅନେକ ସଂଖ୍ୟାଲଘୁ ରହିଥିବାରୁ ଅଞ୍ଚଳରେ ହିନ୍ଦୁ-ମୁଲସମାନଙ୍କ ଭାଇଚାରା ଥିବା ସ୍ପଷ୍ଟ ହୋଇଛି। ତମିଆଁ ଗ୍ରାମରେ ଗତ ୧୯୨୨-୨୩ ରାମନବମୀରେ ଆରମ୍ଭ ହୋଇଥିଲା ରାମଲୀଳା। ଏହାର ପ୍ରତିଷ୍ଠାତା ଭାବେ ଗ୍ରାମର ସ୍ବର୍ଗତ କୀର୍ତ୍ତି ଚନ୍ଦ୍ର ପଣ୍ଡା ଓ ମେନେଜର ଭାବେ ସୟଦ ଅବଦୁଲ ମାଲିକ ରହିଥିଲେ। ସେଦିନ ଠାରୁ ଗ୍ରାମରେ ରାମନବମୀ ଅବସରରେ ରାମଲୀଳା ହେଉଛି ଓ ମୁସଲମାନମାନେ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି। ଉକ୍ତ ଅଞ୍ଚଳରେ ଏହା ଏକ ପରମ୍ପରା ହୋଇଯାଇଛି।
ଉଭୟ ହିନ୍ଦୁ ଓ ମୁସଲମାନମାନେ ମିଳିମିଶି ରାମନବମୀ ତଥା ରାମଲୀଳା କରୁଛନ୍ତି। ତେବେ ସୟଦ ଅବଦୁଲ ମାଲିକଙ୍କ ପରଲୋକ ପରେ ସ୍ବର୍ଗତ ମହମ୍ମଦ ଇସମାଇଲ ଏହାର ଭାର ନେଇ ମେନେଜର ଥିଲେ। ତାଙ୍କ ପରଲୋକ ପରେ ବର୍ତ୍ତମାନ କମିଟିର ମେନେଜର ଭାବେ ସୟଦ ଅବଦୁଲ ରାଉଫ୍ ଦାୟିତ୍ବ ନେଇଛନ୍ତି।
ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ହେବ ରାମଲୀଳା କମିଟିର ସମ୍ପାଦକ ଭାବେ ଗ୍ରାମର ସୟଦ ଅବଦୁଲ ସିରାଜ ଅଛନ୍ତି। ସେ ମଧ୍ୟ ରାମଲୀଳା ସମୟରେ ରାମ, ରାବଣ ଆଦି ଭୂମିକାରେ ଅଭିନୟ କରୁଛନ୍ତି। ୯ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ରାମଲୀଳାରେ ଗ୍ରାମର ମୁସଲମାନ ସମ୍ପ୍ରଦାୟର ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ମସ୍ତାକ, ଅବଦୁଲ ସୁଲେମାନ, ଇସରାଇ, ମହତାବ ପ୍ରମୁଖ ଅଭିନୟ କରୁଛନ୍ତି। ସେହିପରି ହିନ୍ଦୁ ସମ୍ପ୍ରଦାୟରୁ ବରୁଣ ମେହେର, ଗୁରୁ ଭାବେ ଗୋଲକ ତ୍ରିପାଠୀ, ପ୍ରଦୀପ ନାଏକଙ୍କ ସହ ଅନ୍ୟମାନେ ବି ପ୍ରମୁଖ ଭୂମିକାରେ ଅଛନ୍ତି। ତେବେ ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ହିନ୍ଦୁମାନେ ଯେତିକି ଗର୍ବିତ ମୁସଲମାନେ ମଧ୍ୟ ସେତିକି ଗର୍ବ କରୁଛନ୍ତି। ଦୀର୍ଘ ଶହେ ବର୍ଷ ହେଲା ଉଭୟ ସମ୍ପ୍ରଦାୟ ମିଶି ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି।