ବାରିପଦାରେ ସୋରିଷ ତେଲ ଅମୂଲ ମୂଲ, ଦୁଇ ଶହ ଟପିଲା ଲିଟର

ବାରିପଦା : କରୋନା ମହାମାରୀକୁ ବଳିଯାଇଛି ବିଭିନ୍ନ ରାନ୍ଧିବା ତେଲ ଦର। ରୋଷେଇ ଘର ଚିନ୍ତା ବଢ଼େଇଛି କ୍ରମବର୍ଦ୍ଧିଷ୍ଣ ରନ୍ଧା ତେଲ ଦର। ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ଖୋଲା ବଜାରରେ ସୋରିଷ ତେଲ ଅମୂଲ ମୂଲରେ ବିକ୍ରି ହେଉଛି ।

ଖୁଚୁରା ଦୋକାନରେ ଏକ ଲିଟର(୯୧୦ ଗ୍ରାମ) ଇଞ୍ଜିନ ସୋରିଷ ତେଲ ୧୯୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଫର୍ଚ୍ୟୁନ ସୋରିଷ ତେଲ ୨୧୨ ଟଙ୍କାରେ ବିକ୍ରି ହେଉଛି । ଆଉ କିଛି ଦିନ ପରେ ସୋରିଷ ତେଲର ମୂଲ୍ୟ ଅଢ଼େଇଶହ ଟଙ୍କାକୁ ଟପିବାର ଖୁଚୁରା ବ୍ୟବସାୟୀମାନେ ଆଶଙ୍କା କରିଛନ୍ତି । ମୂଲ୍ୟ ନିୟନ୍ତ୍ରଣ ଉପରେ ସରକାରଙ୍କର କଟକଣା ନ ଥିବାରୁ ସୋରିଷ ତେଲର ପାଇକାରୀ ମୂଲ୍ୟ ଉପରେ ଖୁଚୁରା ବ୍ୟବସାୟୀମାନେ ପ୍ରାୟ ୫ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଲାଭ ଉଠାଉଛନ୍ତି । ଦିନକୁ ଦିନ ସୋରିଷ ତେଲର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଖୁଚୁରା ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ରାଜ୍ୟ ବାହାରର ବଡ଼ ବଡ଼ ବ୍ୟବସାୟୀ ଓ ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକଠାରୁ ଆରମ୍ଭ କରି ଡିଷ୍ଟ୍ରିବ୍ୟୁଟର, ହୋଲସେଲର ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ସୋରିଷ ତେଲ ମହଜୁଦ ରଖି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।

ବାରିପଦା ସହରରେ ଥିବା ଜଣେ ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁସାରେ ଚଳିତ ଏପ୍ରିଲ ମାସରେ କରୋନାର ଦ୍ୱିତୀୟ ଲହରକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପରେ ହୋଲସେଲରମାନେ ସୋରିଷ ତେଲ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି କରାଇ ଆସୁଛନ୍ତି । ଏବେ ଏପରି ଅବସ୍ଥାରେ ପହଁଞ୍ଚି ଗଲାଣି ଆମକୁ ତେଲ ପ୍ୟାକେଟ ଉପରେ ପ୍ରିଣ୍ଟ୍‌ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହେବୁ । ଯଦି ହୋଲସେଲରମାନେ ଖୁଚୁରା ବ୍ୟବସାୟୀମାନଙ୍କୁ ପ୍ରିଣ୍ଟ୍‌ ମୂଲ୍ୟ ଅଥବା ପାଖାପାଖି ମୂଲ୍ୟରେ ସୋରିଷ ତେଲ ଯୋଗାଇ ଦେଲେ କଣ କରି ପାରିବେ ବୋଲି ପ୍ରଶ୍ନ କରିଛନ୍ତି । ହୋଲସେଲରମାନେ ମାଲ ମିଳୁନାହିଁ ବୋଲି କହି ଚଢ଼ା ମୂଲ୍ୟରେ ବିକ୍ରି କରୁଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରିବାକୁ କୌଣସି ପ୍ରୟାସ କରାଯାଉନଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ନିମନ୍ତେ ସାଧାରଣରେ ଦାବି ହୋଇଛି। ତିନିମାସ ମଧ୍ୟରେ ଲିଟର ପିଛା ସୋରିଷ ତେଲ ଦର ୨୦ରୁ ୪୦ ଟଙ୍କା ବୃଦ୍ଧି ପାଇଛି । ଗତ  ଜାନୁଆରୀ ମାସରେ ଖୁଚୁରା ବଜାରରେ ସୋରିଷ ତେଲ ମୂଲ୍ୟ ଲିଟର ପିଛା ୧୨୦ରୁ ୧୩୦ ଟଙ୍କା ଭିତରେ ସିମୀତ ରହିଥିଲା । ଏବେ ୧୯୫, ୨୧୨ ଟଙ୍କାରେ ବିକ୍ରି କରାଯାଉଛି । ସେହିପରି ପତଞ୍ଜଳି ସୋରିଷ ତେଲ ୧୬୦, ସାଲୋନୀ ୧୬୩ ଟଙ୍କାରେ ବିକ୍ରି ହେଉଛି । ସାଧାରଣ ଭାବେ ପ୍ରତ୍ୟେକ ପରିବାରରେ ସୋରିଷ ତେଲର ଚାହିଦା ରହିଛି । ମହଜୁଦକାରୀମାନଙ୍କ ଉପରେ ସରକାରଙ୍କର ନିୟନ୍ତ୍ରଣ ନ ଥିବାରୁ ଏହି କୃତ୍ରିମ ମୂଲ୍ୟ ବୃଦ୍ଧି ଘଟୁଥିବାର ଖୁଚୁରା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ସରକାରଙ୍କ ନୀତି ନିୟମର ଫାଇଦା ନେଇ ବଜାରରେ ଅଭାବ ସୃଷ୍ଟି କରାଯାଉଛି । ଏହାର ପ୍ରଭାବରେ ଖାଉଟି ହନ୍ତସନ୍ତ ହେବାରେ ଲାଗିଛନ୍ତି । ଗତ ବର୍ଷ ଏହି ସମୟରେ ଇଞ୍ଜିନ ସୋରିଷ ତେଲ ୯୫ ଟଙ୍କା ବିକ୍ରି ହେଉଥିଲା । ଏବର୍ଷ ଏହାର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧିପାଇଛି । ସେହିପରି ରିଫାଇନ, ସୋୟାବିନ, ପାମୋଲିନ ଓ ଡାଲ୍‌ଡା ଘିଅ ଆଦି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଥିବା ପରିଲକ୍ଷିତ ହୋଇଛି ।

ସମ୍ବନ୍ଧିତ ଖବର