ଏତିକିରେ ମୋ ଦାୟିତ୍ୱ ସରିନି, ଆହୁରି ବାକି ରହିଛି: ଅଶ୍ବିନୀ

ବାଲେଶ୍ବର : ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାକୁ ୩ ଦିନ ବିତିଛି। ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଆଜିଠାରୁ ସ୍ବାଭାବିକ ହୋଇଛି ସ୍ଥିତି। ସେପଟେ ଦୁର୍ଘଟଣାରେ ମୃତାହତଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ କ୍ଷତିପୂରଣ, ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚାଇବା କାମ ମଧ୍ୟ ଜାରି ରହିଛି। କହିବାକୁ ଗଲେ ଏବେ ସବୁ କିଛି ସ୍ୱାଭାବିକ ଆଡ଼କୁ ଗତି କରୁଛି। କିନ୍ତୁ ଏତିକିରେ ମୋ ଦାୟିତ୍ୱ ସରିନାହିଁ। ଆହୁରି ଅନେକ ଦାୟିତ୍ବ ତୁଲାଇବାକୁ ବାକି ରହିଛି ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଗତ ଶୁକ୍ରବାର ସଂଧ୍ୟାରେ ବାହାନଗା ବଜାର ରେଳ ଷ୍ଟେସନଠାରେ ଶାଲିମାର-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବାପରେ ମୃତାହତ ୧୫ ଶହରୁ ଅଧିକ ଯାତ୍ରୀ ଓ ତାଙ୍କ ପରିବାରକୁ ତତ୍କାଳ ସହାୟତା, କ୍ଷତିଗ୍ରସ୍ତ ଟ୍ରେନ୍‌ ଓ ରେଳ ଲାଇନ୍‌କୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଶନିବାର ସକାଳେ ବାହାନଗାରେ ପହଞ୍ଚିଥିଲେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ। ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପରଠାରୁ ରେଳ ବିଭାଗ ଅଧିକାରୀଙ୍କ ସହ ପୁନରୁଦ୍ଧାର କାର୍ଯ୍ୟର ଅନୁଧ୍ୟାନ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର, ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ଓ ବିରୋଧୀ ଦଳ ନେତାମାନଙ୍କ ସହ ଆଲୋଚନା, କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ବାରମ୍ବାର ଭୁବନେଶ୍ବର, ବାହାନଗା ଓ ବାଲେଶ୍ବରକୁ ଯିବାଆସିବା ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ କର୍ମଚାରୀ, ପୁଲିସ ଓ ରେଳ କର୍ମଚାରୀଙ୍କ ପାଖରେ ଉପସ୍ଥିତ ରହି ସମସ୍ତଙ୍କର ମନୋବଳ ବଢ଼ାଇଥିଲେ।

ପ୍ରଚଣ୍ଡ ଖରା ସତ୍ତ୍ବେ ଶ୍ରୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ରହି ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ବ୍ୟକ୍ତିଗତ ଭାବେ ମୃତାହତ ଯାତ୍ରୀ ଓ ସେମାନଙ୍କ ଆତ୍ମୀୟଙ୍କୁ ଭେଟି ସୁବିଧା, ଅସୁବିଧା କଥା ପଚାରି ବୁଝିଥିଲେ। ରେଳ ଦୁର୍ଘଟଣାକୁ ନେଇ ବିରୋଧୀ ଦଳ ଓ ବିଭିନ୍ନ ମହଲରୁ ତାଙ୍କୁ ପ୍ରବଳ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତା’ସତ୍ତ୍ବେ ଶାନ୍ତ ମିଜାଜରେ ଧୈର୍ଯ୍ୟର ସହିତ ନିଜର ଗୁରୁଦାୟିତ୍ବ ତୁଲାଇଛନ୍ତି। ଗତକାଲି ରାତି ୧୦ଟା ୩୫ରେ ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାମ ସରିବା ପରେ ଟ୍ରାକ୍‌ରେ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ୍‌ ଗଡ଼ିଥିଲା। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ହାତଯୋଡ଼ି ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର