ସମ୍ବଲପୁର : ତ୍ରିବେଣୀ ଅମାବାସ୍ୟାରେ ମହାରାଷ୍ଟ୍ରର ଅମହଦନଗର ଜିଲ୍ଲାର ଶନି ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ପୀଠରେ ସୁନାକଳସ ଦାନକରି ନିକଟରେ ଚର୍ଚ୍ଚାର ପରିସରକୁ ଆସିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।
ଜଣେ ଓଡ଼ିଆ ଭକ୍ତ ୭୦୦ ଗ୍ରାମ ସୁନା ଓ ୫ କେଜି ରୁପାର ଏକ କଳସ ପ୍ରଦାନ କରିଥିବା ଏବଂ ଏହାର ମୂଲ୍ୟ ଏକ କୋଟି ଟଙ୍କା ଏବଂ ମନ୍ଦିରକୁ ଏ ପର୍ଯ୍ୟନ୍ତ ମିଳିଥିବା ଦାନ ମଧ୍ୟରୁ ଏହା ସର୍ବାଧିକ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖିଣ୍ଡାଠାରେ ଆୟୋଜିତ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଏ ନେଇ ମୁହଁ ଖୋଲିଥିଲେ। ଛୋଟ ଗାଁଠାରୁ ଭାରତର ବହୁତ ବଡ଼ବଡ଼ ଲୋକ ପର୍ଯ୍ୟନ୍ତ ଶନିଦେବତାଙ୍କ ଶରଣାପନ୍ନ ହୁଅନ୍ତି। ସେ ଶନିଦେବଙ୍କ ଶରଣାପନ୍ନ ହୋଇଥିଲେ। ସେଠାରେ ସୋରିଷ ତେଲ ରଖିବା ପାଇଁ ଗଡ଼ୁ(କଳସ) ଦେଇଥିଲେ। ତେବେ, ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି କହିଥିଲେ। ତ୍ରିବେଣୀ ଅମାବାସ୍ୟା ଦିନ ସେ ଓଡ଼ିଶାବାସୀ ଖୁସିରେ ରହିବା ଏବଂ ବିଶେଷକରି ଝାରସୁଗୁଡ଼ାବାସୀ ଖୁସିରେ ରଖିବା ନିମନ୍ତେ ଶନିଦେବଙ୍କଠାରେ ପ୍ରାର୍ଥନା କରିଥିଲେ। ଓଡ଼ିଶାର ଆହୁରି ଉନ୍ନତି ସହିତ ବ୍ୟତୀତ ଲୋକଙ୍କର ସେବା କରିବା ପାଇଁ ତାଙ୍କୁ ଅଧିକ ଶକ୍ତି ପ୍ରଦାନ କରିବାକୁ ବି ସେ ଶନିଦେବଙ୍କୁ ମାଗିଥିଲେ ବୋଲି ସେ କହିଥିଲେ।