ଅନୁଗୁଳ(ବିକାଶ ଚନ୍ଦ୍ର ସାହୁ): ବିଜୁ ବାବୁଙ୍କ ଆନନ୍ଦ ଭବନ ହେଉ ଅବା ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ସୁଆଣ୍ଡୋର କଥା। ମହାପୁରୁଷଙ୍କର ଏହି ମହନୀୟ ଜନ୍ମସ୍ଥଳ ଏବଂ ବାସ ଭବନକୁ ସରକାର ବିକଶିତ କରୁଛନ୍ତି। ସୁଆଣ୍ଡୋକୁ ଐତିହ୍ୟର ଗାଁ କରିବାକୁ ଯୋଜନା ଚାଲିଥିବା ବେଳେ ଯୋଗଜନ୍ମା, ଦେଶପ୍ରେମୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଚାଳିଆ ଘରକୁ ସଂରକ୍ଷିତ କରିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି।

Advertisment

ବାଜିରାଉତ ଛାତ୍ରାବାସର ସେହି ଚାଳିଆ ଘରେ ଆଜି ବି ସାଇତା ନବ ବାବୁଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କେବଳ ତାଙ୍କ ସ୍ମୃତି ବହନ କରୁନାହିଁ, ବରଂ ତାଙ୍କ ଆଦର୍ଶପୂର୍ଣ୍ଣ ସରଳ ଜୀବନଯାପନକୁ ବି ସୂଚାଇ ଦେଉଛି। କୁଟୀରରେ ରହିଥିବା ତାଙ୍କର ଚିର ସ୍ମରଣୀୟ ଆଦର୍ଶ ଭୂମିକୁ ଐତିହ୍ୟସ୍ଥଳର ମାନ୍ୟତା ଦେବାକୁ ବି ପ୍ରସ୍ତାବ ଦିଆଯାଇଛି।

publive-image

ଜିଲ୍ଲା ପ୍ରଶାସନର ପ୍ରସ୍ତାବ କ୍ରମେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ବାଜିରାଉତ ଛାତ୍ରାବାସ ବୁଲି ସର୍ଭେ କରିଥିବା ଜଣାପଡ଼ିଛି। ପ୍ରତ୍ନତତ୍ତ୍ବ ବିଭାଗର ସର୍ଭେ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଅନୁଗୁଳ ଜିଲ୍ଲା ସଂସ୍କୃତି ଅଧିକାରୀ ସରିତା ପ୍ରଧାନ ‘ସମ୍ବାଦ’କୁ କହିଛନ୍ତି।

ଡାକ ନାଁ ବାପିରେ ସଭିଁଙ୍କ ଅତି ଆପଣାର ନବବାବୁ ୧୯୫୦ରୁ ୧୯୫୬ ମସିହା ଯାଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ତା’ ପୂର୍ବରୁ ୧୯୪୬ରୁ ୧୯୪୮ ଯାଏ ରାଜସ୍ୱ ଯୋଗାଣ, ପରିବହନ, ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ। ତାଙ୍କ ଶାସନ ସମୟରେ ଜମିଜମା ସଂସ୍କାର ଆଇନ, ଅଞ୍ଚଳ ସଂସ୍କାର, ଆଇନ, ଭାଗଚାଷ ଆଇନ, ଜମିଦାରୀ ପ୍ରଥା ଉଚ୍ଛେଦ, ନିଶା ନିବାରଣ, ଶ୍ରୀମନ୍ଦିର ସଂସ୍କାର ଆଦି ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ।

କ୍ଷମତା ପାଇବା ପାଇଁ ବର୍ତ୍ତମାନର ରାଜନେତା ଅନୈତିକତାର ଚରମସୀମା ବି ଡେଇଁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ପାଦରେ ଏଡ଼ାଇ ଦେଇ ନୈତିକତାର ଚରମ ଉଦାହରଣ ଦେଇଥିଲେ ନବବାବୁ। ନବକୃଷ୍ଣ ଚୌଧୁରୀ ୧୯୫୬ ମସିହାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଜିରାଉତ ଛାତ୍ରବାସରେ ରହିଥିଲେ। ସକ୍ରିୟ ରାଜନୀତିରୁ ବିଦାୟ ନେଇ ନିଜକୁ ସର୍ବୋଦୟ ଆନ୍ଦୋଳନରେ ସାମିଲ କରିଥିଲେ। ୧୯୭୫ ମସିହା ଜରୁରୀ ପରିସ୍ଥିତିରେ ସେ ଗିରଫ ହୋଇଥିଲେ।

publive-image

ଜାତିପ୍ରଥା ଓ ଛୁଆଁ ଅଛୁଆଁ ଦୂରପାଇଁ ଦଳିତ ଓ ନିମ୍ନବର୍ଗର ଲୋକଙ୍କୁ ନେଇ ମନ୍ଦିରକୁ ପ୍ରବେଶ କରାଇଥିଲେ। ଜାତୀୟ ସ୍ତରରେ ଆରମ୍ଭ ହୋଇଥିବା ଦଙ୍ଗା ଯେପରି ନାଗାଲାଣ୍ଡ ଓ ମଣିପୁରରେ ଜୟପ୍ରକାଶ ନାରାୟଣଙ୍କ ସହିତ ଶାନ୍ତି ଆଣିଥିଲେ। କାଶ୍ମୀର ସମସ୍ୟା ପାଇଁ ନେହେରୁଙ୍କ ଆଦେଶରେ ଶାନ୍ତି ଦୂତ ହିସାବରେ ଯାଇ ସେଠାରେ ସେ ଶାନ୍ତିପ୍ରତିଷ୍ଠା କରିଥିଲେ। ଅନୁଗୁଳଠାରେ ନବଜୀବନ ମଣ୍ଡଳ ନାମକ ଅନୁଷ୍ଠାନ ଗଠନ କରିଥିଲେ। ୧୯୮୪ ମସିହାରେ ସେ ଅନୁଗୁଳ ଆଶ୍ରମରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ଦେଶ, ସମାଜ, ଦଳିତ ଜନସାଧାରଣଙ୍କର ଉନ୍ନତି ପାଇଁ ଚେଷ୍ଟା କରୁଥିବା ନବବାବୁଙ୍କ ତ୍ୟାଗ, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ଜୀବନର ସ୍ମୃତି ଆଜି ବି ବାଜିରାଉତ ଛାତ୍ରାବାସର ସେହି ଚାଳିଆ କୁଟରୀରେ ତାଜା ଅଛି।

ଏହି ମହାପୁରୁଷଙ୍କର ଆଦର୍ଶରେ ଆଦର୍ଶିତ ଏହି କୁଟୀରର ଚାରି ମାଟି କାନ୍ଥ ସହିତ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ବେଡ୍, ମସିଣା, ତାଟିଆ, ଗିନା ଆଦି ଜିନିଷକୁ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗକୁ ଚିଠି ଲେଖିଥି‌ଲା। ବିଭାଗୀୟ ଅଧିକାରୀ ବାଜିରାଉତ ଛାତ୍ରାବାସକୁ ଆସି ସର୍ଭେ କରି ଯାଇଛନ୍ତି। ନବବାବୁଙ୍କ କୁଟୀର ସହିତ ଅନ୍ୟାନ୍ୟ ସାମଗ୍ରୀ କେମିତି ସମସ୍ତଙ୍କ ପାଇଁ ସଂରକ୍ଷିତ ରଖାଯାଇ ପାରିବ ସେନେଇ ପ୍ରତ୍ନତତ୍ତ୍ବ ବିଭାଗର ରିପୋର୍ଟ ଦେଲା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସଂସ୍କୃତି ଅଧିକାରୀ ଶ୍ରୀମତୀ ପ୍ରଧାନ କହିଛନ୍ତି। ନବବାବୁଙ୍କର ବାସସ୍ଥାନକୁ ଐତିହ୍ୟସ୍ଥଳୀ କରାଯିବାର ଯୋଜନା ଥିବା ସେ କହିଛନ୍ତି।