ଅବାକ ହେଲେ ଥାନା ଅଧିକାରୀ, ୨୨ କିମି ସାଇକେଲ ଚଳାଇ ଥାନାରେ ପହଞ୍ଚିଲେ ଆରକ୍ଷୀ ଅଧୀକ୍ଷକ

ତେନ୍ତୁଳିଖୁଣ୍ଟି: ୨୨ କିମି ସାଇକେଲ ଚଳାଇ ଆଜି ସଂଧ୍ୟା ସାଢ଼େ ୬ଟାରେ ତେନ୍ତୁଳିଖୁଣ୍ଟି ଥାନାରେ ପହଞ୍ଚିଲେ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର । ଆରକ୍ଷୀ ଅଧୀକ୍ଷକ ଶ୍ରୀ କୁଶଲକର ୨୨ କିମି ସାଇକେଲ ଚଳାଇ ଥାନାକୁ ଆସୁଥିବାର ଖବର ପାଇବା ପରେ ଥାନାର ସମସ୍ତ କର୍ମଚାରୀ ଅବାକ ହୋଇଯାଇଥିଲେ। ସାଇକେଲରେ ହଠାତ୍ ଥାନା ପରିସରରେ ପହଂଚିବା ବେଳକୁ ଥାନା କର୍ମଚାରୀଙ୍କ ପାଇଁ ଭାବିବାକୁ ସମୟ ନଥିଲା । ଦୀର୍ଘ ୨୨ କିଲୋମିଟର ସାଇକେଲ ଚଳାଇ ଆସିବା କଥା ସମସ୍ତଙ୍କୁ ଚକିତ କରିଥିଲା ।

ଏସ.ପି ଶ୍ରୀ କୁଶଲକର ଏକ ଧଳା ଟିସାର୍ଟ ଏବଂ କଳା ହାପ ପ୍ୟାଣ୍ଟ ସହ ୱାକିଙ୍ଗ ଜୋତା ପିନ୍ଧି ଆସୁଥିବା ଦେଖିବାକୁ ମିଳିଥିଲା । କରୋନା ଭଳି ମହାମାରୀ ସମୟରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ସକାଶେ ସାଇକେଲିଂ କରିବା ସହ ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଏସ.ପି ଶ୍ରୀ କୁଶଲକର ପ୍ରକାଶ କହିଛନ୍ତି । ସେ କହିଛନ୍ତି ଲୋକେ ଘରୁ ବାହାରକୁ ପାଦ କାଢ଼ିଲେ ବାଇକ ବାହାର କରିବା ଏକ ସୌଖିନ ହୋଇଛି। ଯାହା ଦ୍ବାରା ପରିବେଶ ବି ପ୍ରଦୂଷଣ ହେଉଛି। ସାଇକେଲର ବହୁଳ ବ୍ୟବହାର ହୋଇପାରିଲେ ପରିବେଶ ପ୍ରଦୂଷଣରୁ ମୁକ୍ତ ହୋଇପାରିବ। ପ୍ରତ୍ୟେକ ମଣିଷ ଶାରୀରିକ ପରିଶ୍ରମ କରିବା ନିହାତି ଜରୁରୀ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ମଧ୍ୟରେ ଏକାଗ୍ରତା ଆସିଥାଏ ବୋଲି ଏସ.ପି ଶ୍ରୀ କୁଶଲକର କହିଛନ୍ତି ।

ଏସ.ପି ଶ୍ରୀ କୁଶଲକର ଥାନାରେ ପହଂଚି ଆଇ.ଆଇ.ସି ପରମାନନ୍ଦ ସୁନାନୀଙ୍କ ସହ ଆଲୋଚନା କରି କୋଭିଡ ୧୯ ଉପରେ ଆଲୋଚନା କରିଥିଲେ । ସେହିପରି ଥାନା ପରିସରରେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହ ସାନିଟ୍ରାଇଜିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସେହିପରି ଅଂଚଳରେ ସାଧାରଣ ଜନତା ଯେଭଳି ସାମାଜିକ ଦୂରତା ବଜାୟ ରଖିବେ ଏବଂ ମାସ୍କ ପରିଧାନ କରିବେ ସେନେଇ ଦୃଷ୍ଟି ଦେବାକୁ ଥାନା ଆଇ.ଆଇ.ସି ଶ୍ରୀ ସୁନାନୀଙ୍କ ସହ ଆଲୋଚନା କରିଥିଲେ । ଏସ.ପି ଶ୍ରୀ କୁଶଲକର ଆସିବା ସମୟରେ ଏସ ଆଇ ଅଭିମନ୍ୟୁ ଦୁର୍ଗା, ଏସ.ଆଇ ରଂଜିତ କୁମାର ଭୋଇ, ଏସ.ଆଇ ପ୍ରସନ୍ନ ନାୟକ, ଏ.ଏସ.ଆଇ ପ୍ରକାଶ ଚନ୍ଦ୍ର ପାତ୍ର, ଏ.ଏସ.ଆଇ ସୁରେନ୍ଦ୍ର ଦିଗାଲ, କେଶରୀ ଭତରା, ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର