ନବରଙ୍ଗପୁରରୁ ଦୁଇ ଜଣ ବିଏସ୍‌ଏଫ୍‌ ଯବାନ କରୋନା ଆକ୍ରାନ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ଦୁଇଜଣ କୋଭିଡ ଯୋଦ୍ଧାଙ୍କୁ କରୋନା। କରୋନା ଆକ୍ରାନ୍ତ ହୋଇଥିବା ଦୁଇ ଜଣ ବିଏସ୍‌ଏଫ୍‌ ଯବାନଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି। ଛୁଟିରୁ ଫେରିବା ପରେ ଉଭୟ ବିଏସ୍‌ଏଫ୍‌ ଯବାନ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଥିଲେ। ସେଠାରେ ଦୁହିଁଙ୍କ କରୋନା ଲକ୍ଷଣ ଦେଖା ଦେବାରୁ ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠା ଯାଇଥିଲା।

ଆଜି ଦୁଇ ଯବାନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ତେବେ ଏହା ପୂର୍ବରୁ ବି ଜିଲ୍ଲାରୁ ୭ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜିଲ୍ଲାରେ ବର୍ତ୍ତମାନ କରୋନା ସକ୍ରିୟ ମାମଲା ୧୨ଟି ରହିଛି । ଏଥିମଧ୍ୟରୁ ୯ ଜଣ ଯବାନ କରୋନାରେ ଆକ୍ରାନ୍ତ ଅଛନ୍ତି ।

ରାଜ୍ୟରେ ଆଜି ପୁଣି ୨୧୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୭୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର