ଡାବୁଗାଁ: ଗାଳ୍ପିକ, ସାହିତ୍ୟିକ ତଥା କବି ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଏବେ ଚର୍ଚ୍ଚାରେ । ୧୦ ହଜାର ବର୍ଷର କ୍ୟାଲେଣ୍ଡର ତିଆରି କରି ସେ ସାଜିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ତାଙ୍କର ଅପୂର୍ବ ପ୍ରତିଭା ଯୋଗୁ ସେ ଜିଲ୍ଲା ତଥା ରାଜ୍ୟରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସମ୍ବାଦର ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ ଓ ନବରଙ୍ଗପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ସୁରେଶ ନାଇଡୁଙ୍କୁ ୧୦ ହଜାର ବର୍ଷର କ୍ୟାଲେଣ୍ଡର ପ୍ରଦାନ କରିଥିଲେ।
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଶିକ୍ଷାଦାନ ସହ ଜଣେ ଗାଳ୍ପିକ,ସାହିତ୍ୟିକ ଓ କବି ଅଟନ୍ତି। ନିଜର ବ୍ୟସ୍ତ ବହୁଳ ଜୀବନ ଭିତରେ ସମୟ ବାହାର କରି ଗଳ୍ପ ଓ କବିତା ଲେଖିଥାନ୍ତି। ତାଙ୍କର ଦୁଇଟି ପୁସ୍ତକ ଶତାବ୍ଦୀର ଆର୍ତ୍ତନାଦ ଓ ଶ୍ରୀକ୍ଷେତ୍ର ଭଜନମାଳା ଉଚ୍ଚ କୋଟିର ଲେଖା ହେବା ସହ ପାଠକ ମାନଙ୍କ ଦ୍ଵାରା ବେଶ୍ ଆଦୃତ ।
ନିଜ ଉଦ୍ୟମରେ ପ୍ରଥମେ ଶ୍ରୀ ନାହାକ ୨୦୦୦ ମସିହାରେ ୧୦୦୦ ବର୍ଷର କ୍ୟାଲେଣ୍ଡର ତିଆରି କରିଥିଲେ । ଏହାର ପ୍ରକାଶନ ପରେ ପୂର୍ବତନ ରାଷ୍ଟ୍ରପତି କେ ଆର ନାରାୟଣନ ଙ୍କ କାର୍ଯ୍ୟାଳୟରୁ ମାନପତ୍ର ସହ ଶୁଭେଚ୍ଛା ବାର୍ତ୍ତା ଆସିଥିଲା। ସେହିପରି ତତ୍କାଳୀନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାଗବତ ବେହେରାଙ୍କ କାର୍ଯ୍ୟାଳୟରୁ ମାନପତ୍ର ସହ ଶୁଭେଚ୍ଛା ବାର୍ତ୍ତା ତାଙ୍କୁ ଆସିଥିଲା। ଏଥିରେ ଉତ୍ସାହିତ ହୋଇ ୨୦୨୩ ମସିହାରେ ପ୍ରଥମେ ୩୦୦୦ ହଜାର ବର୍ଷର କ୍ୟାଲେଣ୍ଡର ଓ ପରେ ୧୦ ହଜାର ବର୍ଷର କ୍ୟାଲେଣ୍ଡର ତିଆରି କରିଥିଲେ ।
୨୦୨୩ ମସିହାରେ ଉମରକୋଟ ଭାରତୀ କଳାନିକେତନ ଆନୁକୁଲ୍ୟରେ ତ୍ରିଦିବସୀୟ ନାଟକ କାର୍ଯ୍ୟକ୍ରମରେ ତତ୍କାଳୀନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଦ୍ଵାରା ୩୦୦୦ ହଜାର ବର୍ଷର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା । ଚଳିତ ବର୍ଷ ପୁଣି ସେ ୧୦ ହଜାର ବର୍ଷର କ୍ୟାଲେଣ୍ଡର କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମାନପତ୍ର ସହ ଶୁଭେଚ୍ଛା ବାର୍ତ୍ତା ପାଇଛନ୍ତି । ଜଣେ କବି ଓ ସାହିତ୍ୟିକ ସହ ୨୦୦ରୁ ଅଧିକ ଯାଦୁବିଦ୍ୟା ଜାଣିବା ସହ ସୋସିଆଲ ମିଡିଆରେ ମଧ୍ୟ ଯାଦୁ ପ୍ରଦର୍ଶିତ କରନ୍ତି ।