କଳାହାଣ୍ଡିରୁ ଚାଲାଣ ହେଉଥିବା ୧୧୫ କଇଁଛ ଝରିଗାଁରୁ ଉଦ୍ଧାର, ୨ ଗିରଫ

ନବରଙ୍ଗପୁର/ଝରିଗାଁ: କଳାହାଣ୍ଡିରୁ ନବରଙ୍ଗପୁର ଚୋରା ଚାଲାଣ ହେଉଥିବା ୧୧୫ କଇଁଛକୁ ଗୁରୁବାର ସ୍ଥାନୀୟ ବନ ବିଭାଗ ଝରିଗାଁରୁ ଉଦ୍ଧାର କରିଛି। ଏହି ଘଟଣାରେ ବନ ବିଭାଗ ୨ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର ଉମରକୋଟସ୍ଥିତ କୋର୍ଟକୁ ଚାଲାଣ କରାଯିବ।

ନବରଙ୍ଗପୁର ଜିଲ୍ଲାର ଝରିଗାଁ ବନ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ କଇଁଛ ଚାଲାଣ ସଂପର୍କରେ ସୂଚନା ମିଳିବା ପରେ ଛୋ ଗ୍ରାମ ଠାରେ କର୍ମଚାରୀମାନେ ଜଗିଥିଲେ। ପୂର୍ବାହ୍ନ ୯ଟାରେ ଫରେଷ୍ଟର ଚନ୍ଦ୍ରଧ୍ୱଜ ଲାମତା, ପାରାଗାର୍ଡ ନରେନ୍ଦ୍ର ପୂଜାରୀ, ଗଣପତି ଗୌଡ଼, ପୂର୍ଣ୍ଣ ପାଣ୍ଡେ, ଟଙ୍କଧର ଗୌଡ଼, ଦୂର୍ଯ୍ୟେଧନ ପୂଜାରୀ ପ୍ରମୁଖ କେଲାପଦର ବିଟ୍‌ଠାରେ ୨ଜଣ ବାଇକ୍‌ ଆରୋହୀଙ୍କୁ ବସ୍ତାରେ ବାନ୍ଧି ଥିବା ଜିନିଷ ଦେଖି ସନ୍ଦେହ ହେବାରୁ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ହେଁ ଦୁଇ ଦୁର୍ବୃତ୍ତ ସେଠାରେ ଅଟକି ନଥିଲେ। ଫଳରେ ବନ ବିଭାଗର କର୍ମଚାରୀମାନେ ତାଙ୍କୁ ପିଛା କରିବା ସହ ଝରିଗାଁ ଟିମକୁ ଖବର ଦେଇଥିଲେ।

-କଇଁଛକୁ ପାଣିରେ ଭର୍ତ୍ତି କରି ଘର ସମ୍ମୁଖରେ ରଖିଲେ ଶୁଭ ହୋଇଥାଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି। କେହି କେହି କୁହନ୍ତି, ଘରେ କଇଁଛ ପାଳିଲେ ଲକ୍ଷ୍ମୀ ପ୍ରବେଶ କରନ୍ତି। ଅଭାବ ଅସୁବିଧା ଦୂର ହୋଇ ଯାଇଥାଏ।

କିଛି ସମୟର ଲୁଚକାଳି ପରେ କଇଁଛ ଚାଲାଣକାରୀ ଦୁର୍ବୃତ୍ତମାନେ ଛୋ ଗ୍ରାମ ଠାରେ ବନ ବିଭାଗର କର୍ମଚାରୀଙ୍କ ସମ୍ମୁଖରେ ପଡ଼ିଥିଲେ। ଜବତ କଇଁଛ ସହ ଦୁଇ ଦୁର୍ବୃତ୍ତ ବାବୁରାମ ହାଲଦାର ଓ ପ୍ରେମାନନ୍ଦ ବାଉଲୀଙ୍କୁ ଝରିଗଁ ଅଣାଯାଇ କଇଁଛ ଗୁଡ଼ିକୁ ଏକ ଘରେ ପାଣି ସଂଗ୍ରହ କରି ଛଡ଼ାଯାଇଥିଲା। ଗଣନା ପରେ ୧୧୫ଟି କଇଁଛ ମଧ୍ୟରୁ ୭ଟି ମୃତ ଥିବା ଜଣାପଡ଼ିଥିଲା।

ଦୁଇ ଚାଲାଣକାରୀ ରାଇଘର ବ୍ଲକ କୁମୁଲି ବ୍ଲକର ବୋଲି ଜଣାପଡ଼ିଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ଚକଲାପଦର ଡାହିମାଲ ଦେଇ ସେମାନେ କଇଁଛ ଚାଲାଣ କରି ଆସୁଥିବା ବେଳେ କିଛି ଅଧିକ ତଥ୍ୟ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇ ନଥିଲେ। ଶେଷରେ କଇଁଛ ଗୁଡ଼ିକୁ ଇନ୍ଦ୍ରାବତୀ ନଦୀରେ ଛଡ଼ା ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର