ବଜ୍ରପାତରେ ୧୧ଗୋରୁ ମୃତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବରାଗୁଡା ଗ୍ରାମରେ ବଜ୍ରାଘାତ ଘଟି ୧୧ଟି ଗୋରୁର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟାରେ ଝରିଗାଁ ଅଞ୍ଚଳରେ ଘଡଘଡି ବର୍ଷା ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ହେବାରୁ ବରାଗୁଡା ଗ୍ରାମର କିଛି ଗୋରୁ ଗାଁ ମଝିରେ ଥିବା ଏକ ଶାଳ ଗଛ ତଳେ ଆଶ୍ରୟ ନେଇଥିଲେ। ତେବେ ଏହି ଗଛ ନିକଟରେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ହିଁ ୮ଟି ଗାଈ, ଗୋଟିଏ ବଳଦ ଓ ୨ଟି ବୁଲା ଷଣ୍ଢର ମୃତ୍ୟୁ ହୋଇଯାଇଥିଲା। ଗାଁ ମଝିରେ ୧୧ଟି ଗୋରୁର ଶବ ପଡିଥିବା ଆଜି ସକାଳେ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏପରିକି ଗଛ ନିକଟରେ ଏକ ବଣି ଚଢେଇ ମରି ପଡିଥିଲା।

ଖବର ପାଇ ଝରିଗାଁ ପ୍ରାଣୀ ବିଭାଗ କର୍ମଚାରୀ ବରାଗୁଡା ଗାଁରେ ପହଞ୍ଚି ମୃତ ଗୋରୁ ଗୁଡିକର ଶବ ବ୍ୟବଚ୍ଛେଦ କରାଇବା ପରେ ମାଲିକ ମାନଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟପଟେ ସଂଧ୍ୟା ସୁଦ୍ଧା ଗୋରୁ ଗୁଡିକର ଶବ ବାହାରେ ହିଁ ପଡି ରହିଥିବା ଦେଖିବାକୁ ମିଳିଥିଲା। ବଜ୍ରାଘାତରେ ବରାଗୁଡା ଗ୍ରାମର ଟଙ୍କଧର ଗଉଡଙ୍କ ଗୋଟିଏ ଗାଈ, ଧନସିଂ ଗଉଡଙ୍କ ୨ଟି ଗାଈ, ମଦନ ଗଉଡଙ୍କ ଗୋଟିଏ ଗାଈ, ଲୋକନାଥ ସାନ୍ତାଙ୍କ ୨ଟି ଗାଈ ଓ ଗୋଟିଏ ବଳଦ, ଖାଡି ଗଉଡଙ୍କ ଗୋଟିଏ ଗାଈ, ବୁଟିଆ ଗଉଡଙ୍କ ଗୋଟିଏ ଗାଈ ସମେତ ୨ଟି ବୁଲା ଷଣ୍ଢର ମୃତ୍ୟୁ ଘଟିଛି। ବରାଗୁଡା ଗାଁରେ ପ୍ରାୟତଃ ଗଉଡ ସଂପ୍ରଦାୟର ଲୋକେ ରହୁଥିବା ବେଳେ ଏମାନେ କ୍ଷୀର ବ୍ୟବସାୟ ସହ ଚାଷ କରି ପରିବାର ଚଳାଇଥାନ୍ତି। ତେବେ ବ୍ରଜାଘାତରେ ଗୋରୁ ଗୁଡିକର ମୃତ୍ୟୁ ହେବା ପରେ ସମସ୍ତେ ଚିନ୍ତାରେ ପଡିଛନ୍ତି। ଶୀଘ୍ର ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର