ଅଟୋ ଓଲଟି ତିନି ନାବାଳିକାଙ୍କ ସହ ୧୨ରୁ ଊର୍ଦ୍ଧ୍ବ ଆହତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସିରସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରିଷ ପଦର ବୁଲାଣି ନିକଟରେ ଏକ ଅଟୋ ଓଲଟି ପଡିବାରୁ ତିନି ନାବାଳିକାଙ୍କ ସହ ୧୨ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କ ସମେତ ୩ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତରଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋଦାମୁଣ୍ଡା ଗ୍ରାମର ଜଣେ ଯୁବକ ସହ ପାପଡାହାଣ୍ଡି ବ୍ଲକ ଚେରଚେଟା ଗ୍ରାମପଞ୍ଚାୟତ କଣ୍ଟାସାରୁ ଗ୍ରାମର ଯୁବତୀ ସହ ଆଦିବାସୀ ପରମ୍ପରା ଅନୁଯାୟୀ ବିବାହ କରିବା ପାଇଁ ରବିବାର ଦିନ କଣ୍ଟାସାରୁ ଯାଇଥିଲେ।  ବିବାହ ସରିବା ପରେ ବର ପକ୍ଷର ୨୦ ଜଣ ଏକ ଅଟୋରେ ଘରକୁ ଫେରୁଥିଲେ।

ଗତକାଲି ରାତ୍ରି ପ୍ରାୟ ୧୧ଟା ସମୟରେ ସୋରିଷପଦର ବୁଲାଣି ନିକଟରେ ଅଟୋ ଭାରସାମ୍ୟ ହରାଇ ତଳକୁ ଖସି ପାଲଟି ମାରିଥିଲା। ସେହି ରାସ୍ତା ଦେଇ ଫେରୁଥିବା ପଦଲାମ ବିଷୋୟୀ ଏହା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରି  ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତ ହୋଇଥିବା ମମତା ଯାନୀ,  ଗୋମତୀ ଯାନୀ ଓମଙ୍ଗଳଦେଇ ମୁଦୁଲିଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ତିନି ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର