ନବରଙ୍ଗପୁର: ଆଜି ସକାଳ ୮ଟା ବେଳେ ନବରଙ୍ଗପୁରଥାନା ଅର୍ନ୍ତଗତ ରାଜା ବେହେରାଗୁଡା କେନାଲ ରାସ୍ତା ଦେଇ ବାଇକରେ ଆସୁଥିବା ବେଳେ ବିଦ୍ୟୁତ ଖୁଣ୍ଟରେ ବାଇକ୍ ପିଟି ହୋଇ ୨ ଜଣଙ୍କ ଜୀବନ ଯାଇଛି ।
ଦୁର୍ଘଟଣାରେ ବଡ଼କୁସୁମୀ ଗାଁର ଖଗପତି ପୂଜାରୀଙ୍କର ମୃତ୍ୟୁ ହୋଇଛି। ସେହିପରି ନବରଙ୍ଗପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଥିବା ଖଣ୍ଡୁଗୁଡା ଗ୍ରାମର ରୁପଧର ଭତରାଙ୍କର ବି ଜୀବନ ଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଏଏସଆଇ ସୁନିଲ ପ୍ରଧାନ କହିଛନ୍ତି।
ଆଜି ସକାଳେ ଦୁହେଁ କୌଣସି କାମରେ ଗୋଟିଏ ବାଇକ ଓଆର ୨୪ଜି ୭୦୭୯ରେ ନବରଙ୍ଗପୁରକୁ ଆସୁଥିବା ବେଳେ ନବରଙ୍ଗପୁର ଥାନା ଅନ୍ତର୍ଗତ ରାଜା ବେହେରଗୁଡା ଗ୍ରାମ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲେ।
ଫଳରେ ବାଇକ ଆରୋହୀ ଖଗପତି ପୂଜାରୀ ସିଧାସଳଖ ବିଦ୍ୟୁତ ଖୁଣ୍ଟରେ ପିଟି ହେଇଥିଲେ। ତାଙ୍କ ମୁଣ୍ଡର କପୁରୀ ବାହାରି ପଡିବା ସହ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରୁପୁଧର ଗୁରୁତର ହୋଇଥିଲେ। ଖବର ମିଳିବା ପରେ ନବରଙ୍ଗପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଆସି ଗୁରତର ଆହତ ରୁପଧରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟାହ୍ନ ୩ଟା ବେଳେ ରୁପଧରର ମୃତ୍ୟୁ ହୋଇଥିବା କହିଛନ୍ତି ଏଏସଆଇ ଶ୍ରୀ ପ୍ରଧାନ।
ସୂଚନା ପାଇ ନବରଙ୍ଗପୁର ଟାଉନ ପୁଲିସ ଘଟଣାସ୍ଥଳରେ ତଦନ୍ତ କରିଥିଲେ। ଦୁଇ ମୃତଦେହର ବ୍ୟାବଚ୍ଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ ଏଏସଆଇ। ତେବେ ଘଟଣାକୁ ଚାପି ଦେବାକୁ ବିଭିନ୍ନ ମହଲରେ ଉଦ୍ୟମ ଆରମ୍ଭ ହୋଇଛି। ଅଜଣା ବାଇକ ଚାଳକ ଜଣକ ଉଭୟଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଥିବା ପରିବାରବର୍ଗ ଏତଲା ଦେଇଥିବା କହିଛି ପୁଲିସ। ତେବେ ପ୍ରତ୍ୟକ୍ଷଦର୍ଶୀ ଓ ଏତଲା ପୃଥକ ଥିବାରୁ ଘଟଣାକୁ ନେଇ ସାଧାରଣରେ ସଂଦେହ ପ୍ରକାଶ ପାଇଛି।