ଏଟିଏମ୍ କାର୍ଡ ଚୋରି କରି ଲକ୍ଷାଧିକ ଟଙ୍କା ଉଠାଣ, ୩ ଯୁବକ ଗିରଫ, ୮୦ ହଜାର ଟଙ୍କା ଓ ମୋବାଇଲ ଜବତ

ନବରଙ୍ଗପୁର: ବନ୍ଧୁଙ୍କ ଘରୁ ଏଟିଏମ କାର୍ଡ ଚୋରି କରିବା ପରେ କାର୍ଡ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଉଠାଣ କରିଥିଲେ ସାଙ୍ଗ | ଆଉ ଶେଷରେ ପୁଲିସ ହାତରେ ଧରାପଡ଼ି ବନ୍ଧା ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୋ‌ଷାଗୁମୁଡା ବ୍ଲକ ବିଏମସେମଲା‌ ଗ୍ରାମର ନିରଞ୍ଜନ ସେମିଳି ଙ୍କ ଘନିଷ୍ଠ ବନ୍ଧୁ ଥିଲେ ଜୟଦାସ ହିଆଲ। ଜୟଦାସ ସବୁ ଦିନ ନିରଞ୍ଜନଙ୍କ ଘରକୁ ଯିବା ଆସିବା କରିବାରୁ ତାଙ୍କ ଉପରେ କାହାରି କିଛି ସ‌ନ୍ଦେହ ନଥିଲା। ଜୟଦାସ ଚାଲାକ କରି ନିରଞ୍ଜନଙ୍କ ଏସବିଆଇ ଏଟିଏମ୍ କାର୍ଡକୁ ଗତ ମାସ ୨୪ ତାରିଖ ଦିନ ଚୋରି କରି ନେଇଥିଲା। ତାଙ୍କ ସହିତ ସମ୍ପର୍କ ଥିବାରୁ ଜୟଦାସ ଏଟିଏମ୍ କାର୍ଡ ର ପିନ୍ ନମ୍ବର ଜାଣିଥିଲା।

ଜୟଦାସ ଏଟିଏମ୍ କାର୍ଡ ଚୋରି କରିବା ପରେ ଏଟିଏମ୍ କାର୍ଡ ରେ ଟଙ୍କା ଅଛି କି ନାହିଁ ଜାଣିବା ପାଇଁ ସେହି ଗ୍ରାମର ଅନ୍ୟ ୨ ଜଣ ସହଯୋଗୀ ରମେଶ ହରୀଜନ ଓ ମଶା ହରୀଜନ ଙ୍କୁ ସାଙ୍ଗ କରି ଗତ ୨୬ ତାରିଖ ଦିନ କୋଡିଗାଁ ଏଟିଏମ୍ କୁ ଗଲେ। ସେଠାରେ ୨ ଥର ରେ ୨୦ ହଜାର ଟଙ୍କା ବାହାର କରିଲେ। ସେମାନେ ସଫଳ ହେବା ପରେ ପୁଣି କୋଡିଗାଁ ଏଟିଏମ୍ ରେ ୨୮ ତାରିଖ ଓ ୩୦ ତାରିଖ ରେ ୨୦ ହଜାର ଲେଖାଏଁ ଟଙ୍କା‌ ବାହାର କରିଚାଲିଲେ। ଗତ ୭ ତାରିଖ ଦିନ କୋଷାଗୁମୁଡା ଏଟିଏମ୍ କୁ ଯାଇ ସେଠାରୁ ୨୦ ହଜାର ଟଙ୍କା ବାହାର କରିଲେ। ଗତ ୮ ତାରିଖ ଦିନ କୋରାପୁଟ ଜିଲ୍ଳା କୋଟପାଡ ଏଟିଏମ୍ ରୁ ୧୦ ହଜାର ଟଙ୍କା ବାହାର କରିଥିଲେ। ଚଳିତ ମାସ ୧୪ ତାରିଖ ଦିନ ନବରଙ୍ଗପୁର ମେନ ବ୍ରାଞ୍ଚ ଏଟିଏମ୍ ରୁ ୨୦ ହଜାର ଟଙ୍କା ବାହାର କରି ଚାଲିଲେ। ଏପରି ଭାବେ ଏଟିଏମ୍ ରୁ ୧ ଲକ୍ଷ ୧୦ ହଜାର ଟଙ୍କା ବାହାର କରି ଚୋରି କରି ନେଇଥିଲେ। ଜୟଦେବ ମାଷ୍ଟର ମାଇଣ୍ଡ ହୋଇଥିବା ଏବଂ ସେ ନିଜେ ଏଟିଏମ୍ କାର୍ଡ ଚୋରି କରି ଥିବାରୁ ଚୋରି କରିଥିବା ମୋଟ ୧ ଲକ୍ଷ ୧୦ ହଜାର ଟଙ୍କା ମଧ୍ୟରୁ ୬୦ ହଜାର ଟଙ୍କା ନିଜେ ରଖିଥିଲା। ବଳକା ୫୦ ହଜାର ଟଙ୍କା କୁ ଭାଗ ବାଣ୍ଟି ରମେଶ ଓ ମଶାକୁ ଦେଇଥିଲା। ସହଯୋଗୀ ରମେଶ ଓ ମଶା ଟଙ୍କା ପାଇବା ପରେ ମାଲକାନାଗିରି ଚାଲିଯାଇଥିଲେ।

ତେବେ ଏଟିଏମ୍ କାର୍ଡ ଚୋରି ହେବା ପୂର୍ବରୁ ନିରଞ୍ଜନଙ୍କ ମୋବାଇଲ ଚୋରି ହୋଇଥିବାରୁ ଏମାନେ ଏଟିଏମ୍ ରୁ ଟଙ୍କା ବାହାର କରିବା ନେଇ ସୁରାକ ପାଇ ପାରିଲେ ନାହିଁ। କାରଣ ଯେଉଁ ସିମ୍ ନଂ ବ୍ୟାଙ୍କ ରେ ପଞ୍ଜିକୃତ ହୋଇଛି ସେହି ସିମ୍ ତାଙ୍କ ପାଖରେ ନଥିଲା। ସେଥି ପାଇଁ ଟଙ୍କା ଉଠାଇବା ମେସେଜ୍ ପାଇପାରିନଥିଲେ। ଗତ ୧୭ ତାରିଖ ଦିନ ନିରଞ୍ଜନ ଜାଣିପାରିଲେ ଯେ ତାଙ୍କ ଏଟିଏମ୍ କାର୍ଡ ଟି ନାହିଁ। ଘରେ ବହୁବାର ଖୋଜାଖୋଜି କରିଲେ ବି ପାଇନଥିଲେ। ଶେଷରେ ତାଙ୍କ ସନ୍ଦେହ ହେବାରୁ ସେ ମୋକିଆ ଏସବିଆଇ ଶାଖାକୁ ଯାଇ ନିଜର ଖାତା ର ବେଲେନସ୍ ଚେକ୍ କରିଥିଲେ। ଖାତାରେ ତାଙ୍କ ଏଟିଏମ୍ କାର୍ଡରୁ ୧ ଲକ୍ଷ ୧୦ ହଜାର ଟଙ୍କା ଉଠିଥିବା ବ୍ୟାଙ୍କ ର କର୍ମଚାରୀମାନେ କହିବା ପରେ ସେ ହତବାକ୍ ହୋଇଯାଇଥିଲେ। ଏ ସଂକ୍ରାନ୍ତ ରେ ସେ ଗତ ୨୩ ତାରିଖ ଦିନ କୋଡିଗାଁ ଥାନା ରେ ଏତଲା ଦେଇଥିଲେ।

କୋଡିଗାଁ ଥାନା ଅଧିକାରୀ ସରିତା ମହାପାତ୍ର କେସ ନଂ ୧୧୭/୨୦ ରେ ମାମଲା ରୁଜୁ କରିଏହି ମାମଲାର ତଦନ୍ତ କାରୀ ଅଧିକାରୀ ଭାବେ ଏସଆଇ ଦେବଦତ୍ତ ମଲ୍ଲିକ ଙ୍କୁ ଦାୟିତ୍ବ ଦେଇଥିଲେ। ଏହି ମାମଲା ପହଞ୍ଚିବା କ୍ଷଣି ଏସଆଇ ଶ୍ରୀ ମଲ୍ଲିକ ବ୍ୟାଙ୍କ କୁ ଯାଇ କେଉଁ ଏଟିଏମ୍ ରୁ କେତେ ଟଙ୍କା ବାହାରିଛି ତାର ତଥ୍ୟ ସଂଗ୍ରହ କରିଥିଲେ। କୋଷାଗୁମୁଡା ଏଟିଏମ୍ ର ସିସିଟିଭି ଫୁଟେଜ୍ ତଦନ୍ତ ବେ‌ଳେ ବିଏମସେମଲା ର ୩ ଜଣ ଯୁବକ ଙ୍କୁ ପୁଲିସ ଚିହ୍ନଟ କରି ପ୍ରଥମେ ମାଷ୍ଟର ମାଇଣ୍ଡ ଜୟଦାସକୁ କାବୁ କରିଥିଲେ। ଜୟଦାସ ସବୁକଥା ପୁଲିସ ଆଗରେ ମାନି ନେବା ପରେ ପୁଲିସ ଟିମ୍ ମାଲକାନାଗିରି କୁ ଯାଇ ସେଠାରୁ ରମେଶ ଓ ମଶାକୁ କାବୁ କରିଥିଲା। ରମେଶ ଓ ମଶା ଠାରୁ ୫୦ ହଜାର ଟଙ୍କା ନଗଦ ଜବତ କରିଥିବା ବେଳେ ଜୟଦେବ ର ଭାଗ ରେ ପଡିଥିବା ୬୦ ହଜାର ଟଙ୍କା ମଧ୍ୟରୁ ୩୦ ହଜାର ଟଙ୍କା ନଗଦ ରାଶି ଉଦ୍ଧାର ହୋଇଥିଲା। ଜୟଦାସ ବଳକା ୩୦ ହଜାର ଟଙ୍କା ରେ ଏକ ମ‌ୋବାଇଲ କିଣିଥିଲା ଏବଂ ୩ ଜଣ ମିଶି ବଳକା ଟଙ୍କା କୁ ଖର୍ଚ୍ଚ କରିଥିଲେ। କୋଡିଗାଁ ପୁଲିସ ଏହି ୩ ଜଣଙ୍କ ଠାରୁ ୮୦ ହଜାର ଟଙ୍କା ନଗଦ, ଗୋଟିଏ ମୋବାଇଲ ଓ ଜୟଦାସ ନିକଟରୁ ୫ଟି ଏଟିଏମ୍ କାର୍ଡ କୁ ଜବତ କରିଛି। ଜବତ ୫ ଟି ଏଟିଏମ୍ କାର୍ଡ ମଧ୍ୟରୁ ୩ ଟି ନିଜ ସମ୍ପର୍କୀୟଙ୍କ ନାମରେ ରହିଥିବା ବେଳେ ଗୋଟିଏ ନିରଞ୍ଜନଙ୍କ ର ଏବଂ ଅନ୍ୟଟି ନରମଦା ପଣ୍ଡା ବୋଲି ଲେଖାଯାଇଛି। ପୁଲିସ ନରମଦା କିଏ ସେ ନେଇ ଅଧିକ ଖୋଳତାଡ କରୁଥିବାର କୋଡିଗାଁ ପୁଲିସ ପକ୍ଷରୁ ଏକ ପ୍ରେସମିଟ୍ ଦ୍ବାରା ସୂଚନା ଦିଆଯାଇଛି। ଥାନା ପକ୍ଷରୁ ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର