ରାଇଘର: ଭାରତ ସ୍ବାଧୀନତାର ୭୬ ବର୍ଷ ପରେ ବି ଗୁଣିଗାରେଡ଼ିର ଅନ୍ଧବିଶ୍ୱାସକୁ ନେଇ କିଛି ଗ୍ରାମବାସୀ ତିନି ଭାଇକୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଗ୍ରାମରୁ ବାସନ୍ଦ କରିବା ଭଳି ଘଟଣା ଉମରକୋଟ ଓ ରାଇଘର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଉଭୟ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇ ଥିବା ବେଳେ ବାସନ୍ଦ ହୋଇ ଥିବା ତିନି ପରିବାର ସ୍ଥାନୀୟ ବ୍ଲକ ମହଣ୍ଡ ପଞ୍ଚାୟତର ପିପୁଲଡିହି ଗ୍ରାମରେ ଆଶ୍ରୟ ନେଇଛନ୍ତି।
ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ କୋପେନା ପଂଚାୟତ ଅନ୍ତର୍ଗତ ତାରାଗାଁ ଗ୍ରାମର ରଜବତୀ କୁମ୍ଭାରଙ୍କ ସ୍ୱାମୀ ମରିଯିବା ପରେ ତିନି ପୁଅ ଡମାର କୁମ୍ଭାର , ରାମ କୁମାର କୁମ୍ଭାର ଓ ଲଛିନାଥ କୁମ୍ଭାରଙ୍କୁ ଧରି ନିଜର ପୈତୃକ ଜାଗାରେ ଦୀର୍ଘ ୬୦ ବର୍ଷ ଧରି ରହି ଆସୁଥିଲେ। ଏଥିସହିତ ସେମାନେ ଉକ୍ତ ତାରାଗାଁର ଧୂରୁଆପାରାରେ ନିଜ ବାପାଙ୍କ ଜମିକୁ ଚାଷବାସ କରି ଆସୁଥିଲେ। ଗତ କିଛି ଦିନ ପୂର୍ବେ ଉକ୍ତ ଚାଷ ଜମିର ପାଣି ଦେବାକୁ ଯାଇ ଦେଖିଲେ ଯେ ତାଙ୍କର ବୋରୱେଲରେ ଲାଗିଥିବା ବିଦ୍ୟୁତ ତାରକୁ କେହି କାଟି ଦେଇଛନ୍ତି। ଏଥିସହିତ ଉକ୍ତ ଦିନ ରାତିରେ ତିନି ଭାଇଙ୍କ ଘରର ବିଦ୍ୟୁତ ମଧ୍ୟ କଟା ଯାଇଥିଲା।କାଳେ ପଵନରେ ଛିଣ୍ଡି ଯାଇଥିବ ଭାବି ସେମାନେ ରାତିରେ ବିଦ୍ୟୁତ ତାର ସଂଯୋଗ କରିବା ସମୟରେ ଉକ୍ତ ଗ୍ରାମର ରୋଜିନା ଗଣ୍ଡ , ହେମାକୁ କୁମ୍ଭାର , ସଦା ଗଣ୍ଡ ଓ ଶ୍ରାବଣ କୁମ୍ଭାର ଅତର୍କିତ ଭାବେ ପ୍ରାୟ ରାତି ୯ ଟା ସମୟରେ ତିନି ଭାଇଙ୍କୁ ଗାଳିଗୁଲଜ କରିବା ସହିତ ମାରପିଟ କରି ଚାଲି ଯାଇଥିଲେ। ଏ ନେଇ ତା ପରଦିନ ସକାଳେ ଗ୍ରାମରେ ଏହି ବିଷୟରେକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରକାଶ ଥାଉକି ଡମାର କୁମ୍ଭାର ଗୁଣି ଗାରେଡ଼ି କରୁଥିବା ସହିତ ସେ ସାପ କାମୁଡ଼ା ଓ ଦେହ ଖରାପ ହୋଇଥିବା ଲୋକଙ୍କୁ ଭଲ କରୁଥିବା ସେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କୁ ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନୀତ ମଧ୍ୟ କରାଯାଇଥିବା ବେଳେ ଏହାକୁ ତାଙ୍କ ଗ୍ରାମର କିଛି ଲୋକ ବିରୋଧ କରୁଥିଲେ। ଫଳରେ ଡମାର ଓ ତାଂକ ଦୁଇ ଭାଇଙ୍କ ସମେତ ସମସ୍ତ ପରିବାରକୁ ଗାଁ ରେ ରଖାଇ ନଦେବାକୁ କିଛି ଗ୍ରାମବାସୀ ମନସ୍ତ କରିଥିଲେ | ସେଥିପାଇଁ ସେମାନେ ବାରମ୍ବାର ତାଙ୍କ ପରିବାର ଲୋକଙ୍କୁ ହଇରାଣ କରି ଆସୁଥିଲେ। ସେମାନଙ୍କ ଘର ଓ ଚାଷ ଜମିର ବିଦ୍ୟୁତ ସଂଯୋଗକୁ କାଟି ଦେଇଥିଲେ | ଏ ନେଇ ଆୟୋଜିତ ବୈଠକରେ ତିନିଭାଇ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ପ୍ରଶ୍ନ ପଚାରିବାରୁ ଗ୍ରାମର କିଛି ଲୋକ ତୁମେ ଏଠି ରହିପାରିବ ନାହିଁ ବୋଲି ରୋକଠୋକ ମନା କରିଥିଲେ | ଉକ୍ତ ବୈଠକରେ କୌଣସି ସମାଧାନ ନହେବାରୁ ତିନି ଭାଇ କୋପେନା ସରପଞ୍ଚ ପାଖରେ ଯାଇ ଏହି ଘଟଣା ସମ୍ପର୍କରେ ଜଣାଇବା ସହିତ ଉମରକୋଟ ଥାନାରେ ଗ୍ରାମର ରୋଜିନା ଗଣ୍ଡ , ହେମାକୁ କୁମ୍ଭାର , ସଦା ଗଣ୍ଡ ଓ ଶ୍ରାବଣ କୁମ୍ଭାର ପ୍ରମୁଖଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ | ଉମରକୋଟ ଥାନା କେସ ନମ୍ବର ୧୫୪/୨୦୨୪ ରେ ଏକ ମାମଲା ଋଜ୍ଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି ଜମାନତରେ ଛାଡି ଦିଆଯାଇଛି ।
ଅପରପକ୍ଷରେ ତିନି ଭାଇ ଓ ସେମାନଙ୍କର ପରିବାର ଭୟରେ ସମସ୍ତ ଜିନିଷପତ୍ର ଧରି ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ଅନ୍ତର୍ଗତ ପିପୁଲଡିହି ଗ୍ରାମରେ ଥିବା ନିଜ ସମ୍ପର୍କୀୟ ରାଇଦାସୀ ଗଣ୍ଡଙ୍କ ଘରେ ଆଶ୍ରୟ ନେଇଛନ୍ତି l କିଛି ଦିନ ଧରି ପରିବାରର ଛୋଟ ଛୋଟ ପୁଅଝିଅ ଏବଂ ବୁଢ଼ୀ ମା’ଙ୍କୁ ଧରି ତିନି ଭାଇ ଡରରେ ରହିଛନ୍ତିl ପିଲାମାନଙ୍କ ପାଠପଢାରେ ଅସୁବିଧା ହେଉଥିବା ସହିତ ତିନି ପରିବାରର ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ ରହିଛି। ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଦାବି ହୋଇଛି।