ନବରଙ୍ଗପୁର: କୋଷାଗୁମୁଡ଼ା ବ୍ଳକ୍ କୋଡ଼ିଙ୍ଗା ଥାନା ଘାଟୁଆଳିଗୁଡ଼ାରେ ୩୦ ଏକର ଜଙ୍ଗଲ ଜମିକୁ ଗାଁର ପ୍ରଭାବଶାଳୀ ଗୋଷ୍ଠୀ ନିଜ ଦଖଲକୁ ନେବାକୁ ଉଦ୍ୟମ ଜାରି ରଖିଛି। ଏଭଳି ଅଭିଯୋଗ ଆଣି ମୂଳନିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଧ୍ଵଜ ମାଝୀଙ୍କ ନେତୃତ୍ୱରେ ଗାଁର ନୀଳକଣ୍ଠ ମାଝୀ, ଗୁପ୍ତ ମାଝୀ, ଶଙ୍କର ବିଶୋଇ, ଡମୁ ଭତ୍ରା, ସୁ କମନ ଭତ୍ରା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି।

Advertisment

ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଘାଟୁଆଳିଗୁଡ଼ାରେ ପୁରୁଷ ପୁରୁଷ ଧରି ୩୦ ଏକର ଜଙ୍ଗଲ ଜମି ରହିଛି। କାଳକ୍ରମେ ଜଙ୍ଗଲ ନଷ୍ଟ ହେବା ପରେ ଗାଁର ୬୫ ପରିବାର ଦୀର୍ଘ ବର୍ଷ ଧରି ଜମିକୁ ସମାନ ଭାଗ କରି ମିଳିମିଶି ମକା, ମାଣ୍ଡିଆ, ଡଙ୍ଗର ଧାନ, ଆଖୁ ଚାଷ କରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ଗତ ଦୁଇ ବର୍ଷ ଧରି ଗାଁର ୧୫ ଜଣ ପ୍ରଭାବଶାଳୀ ପରିବାର ୩୦ ଏକର ଜଙ୍ଗଲ ଜମି ସେମାନଙ୍କ ଦଖଲରେ ରହିଛି ବୋଲି ଦାବି କରୁଛନ୍ତି। 

କେହି ପ୍ରତିବାଦ କଲେ ଧମକ୍ରମକ ଦେଉଛନ୍ତି। ପ୍ରଭାବଶାଳୀ ଗୋଷ୍ଠୀର ଚାପ ଯୋଗୁ ଗାଁର ଅଧିକାଂଶ ଗରିବ ପରିବାର ପ୍ରତି ଅନ୍ୟାୟ ହେଉଛି। ତେଣୁ ଗାଁର ସମସ୍ତ ପରିବାରକୁ ସମାନ ଭାଗରେ ଜଙ୍ଗଲ ଜମି ଉପରେ ଅଧିକାର ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।

Nabarangpur