ଚନ୍ଦାହାଣ୍ଡି/ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଳବେଡା କନ୍ୟାଶ୍ରମର ୩୦ରୁ ଊର୍ଧ୍ବ ଛାତ୍ରୀ ବିସ୍କୁଲ ଖାଇ ଅସୁସ୍ଥ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମଙ୍ଗଳ ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ଗଣେଶ୍ବର ବିଶ୍ବାଳଙ୍କୁ ଆଜି ନିଲମ୍ବନ କରାଯାଇଛି। ଅନ୍ୟପଟେ ପ୍ରଧାନ ଶିକ୍ଷକଙ୍କର କ’ଣ ଭୁଲ ରହିଲା ବୋଲି ପ୍ରଶ୍ନ ଉଠିଛି। କାରଣ ଏକ ନାମି କଂପାନିର ବିସ୍କୁଟ ପିଲାଙ୍କୁ ଦିଆଯାଇଥିଲା। ଏପରିକି ବିସ୍କୁଟର ଅବଧି ମଧ୍ୟ ଶେଷ ହୋଇ ନଥିଲା। ତଥାପି ପ୍ରଶାସନିକ ଅଧିକାରୀ ଘଟଣାର ମୂଳରେ ପହଞ୍ଚିବା ପରିବର୍ତେ ପ୍ରଧାନ ଶିକ୍ଷକଙ୍କୁ ବଳି ପକାଇ ଦେଇଥିବା ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ପୁଣି କୁହାଯାଉଛି ଯେ, ବର୍ତମାନ ବିଧାନସଭା ଚାଲିଥିବାରୁ ଏହି ଘଟଣାକୁ ନେଇ ହୋହଲ୍ଲା ହୋଇପାରେ। ତା’ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦର୍ଶାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି।
ବୁଧବାର ଦିନ ରାତିରେ ୩୦ରୁ ଊର୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତି ହେବାପରେ ଗତକାଲି ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ପିଲାଙ୍କୁ ଘଟଣା ସଂପର୍କରେ ବିସ୍ତୃତ ଭାବେ ପଚାରିବା ପରେ ଯେଉଁ ଦୋକାନରୁ ବିସ୍କୁଟ ଆସିଥିଲା ସେଠାକୁ ଯାଇଥିଲେ। ସ୍କୁଲ ଓ ଦୋକାନରୁ ବିସ୍କୁଟ ପ୍ୟାକେଟ ଆଣିବା ପରେ ନମୁନା ପରୀକ୍ଷାଗାରକୁ ପଠାଇବା ବ୍ୟବସ୍ଥା କରିଥିଲେ। ଏହା ସହିତ ଜିଲ୍ଲା ଖାଦ୍ୟ ନିରୀକ୍ଷକଙ୍କୁ ଉକ୍ତ ସ୍କୁଲ ଏବଂ ଦୋକାନର ସାମଗ୍ରୀ ମାନ ନିର୍ଧାରଣ କରିବା ପାଇଁ ଚିଠି କରାଯାଇଛି। ତେବେ ଜିଲ୍ଲା ଖାଦ୍ୟ ନିରୀକ୍ଷକ ଛୁଟିରେ ଥିବାରୁ ଆଜି ସେ ଚନ୍ଦାହାଣ୍ଡି ଯାଇନଥିବା ଏବଂ ଆସନ୍ତା କାଲି ଚନ୍ଦାହାଣ୍ଡି ଗ୍ରସ୍ତ କରିବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଗତ ୧୭ତାରିଖ ଦିନ ଅପରାହ୍ନ ୫ଟାରେ କନ୍ୟାଶ୍ରମ ଅନ୍ତେବାସୀଙ୍କୁ ଖାଇବା ପାଇଁ ସ୍ନାକ୍ସରେ ବିସ୍କୁଟ ଦିଆଯାଇଥିଲା। ସଂଧ୍ୟା ୭ଟା ବେଳେ ବିସ୍କୁଟ ଖାଇଥିବା ୩୦ରୁ ଊର୍ଧ୍ବ ଛାତ୍ରୀଙ୍କ ମୁଣ୍ଡ ବିନ୍ଧିବା ସହ ବାନ୍ତି କରିଥିଲେ। ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ଚନ୍ଦାହାଣ୍ଡି ମେଡିକାଲରେ ଭର୍ତି କରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅନୁଭବ କରିବାରୁ ସେହିଦିନ ରାତିରେ ହିଁ ଛାତ୍ରୀମାନେ ବିଦ୍ୟାଳୟକୁ ଫେରିଥିଲେ। ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଛାତ୍ରୀମାନେ ଅସୁସ୍ଥ ହେଲେ କାହିଁକି। ବିସ୍କୁଟ ଯୋଗୁଁ ନା’ ଅନ୍ୟ କୌଣସି କାରଣୁ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏନେଇ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘ ସଭାପତି ସାଧୁରାମ ଭତ୍ରା ପ୍ରତିକ୍ରିୟାରେ କହିଛନ୍ତି ଯେ, ଉକ୍ତ ଘଟଣାରେ ପ୍ରଧାନ ଶିକ୍ଷକ କୌଣସି ଅବହେଳା କରିନାହାନ୍ତି। ସେ ଗୋଟିଏ ନାମି କମ୍ପାନିର ବିସ୍କୁଟ ଆଣି ଦେଇଥିଲେ। ଛାତ୍ରୀମାନେ ଅସୁସ୍ଥ ହେବାରୁ ଠିକ ସମୟରେ ନେଇ ମେଡିକାଲରେ ଭର୍ତି କରିଥିଲେ। ତଥାପି ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି। ଏପଟେ ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନ, ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ବାଘ ଓ ଡମ୍ବରୁଧର ମାଝୀ ସ୍କୁଲକୁ ଯାଇ ପିଲାଙ୍କ ସହ ଆଲୋଚନା କରିଥିଲେ। ସ୍କୁଲରେ ପୋକରା ଚାଉଳ ରହିଥିବା ସେମାନେ ଅଭିଯୋଗ କରିଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp