ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ଚିଙ୍ଗୁଡିସର ନିକଟରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୯ ଜଣ ଶିଶୁ ସମେତ ୩୦ ଜଣ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ମେଡିକାଲରୁ କୋରାପୁଟ ମେଡିକାଲକୁ ପଠାଯାଇଛି। ପାପଡାହାଣ୍ଡିରେ ହେଉଥିବା ବାହୁଡା ଯାତ୍ରା ଦେଖିବା ପାଇଁ ଝରିଗାଁ ବ୍ଲକର ରାମସା ଗ୍ରାମର ଶିଶୁ ଓ ବୟଷ୍କ ମିଶି ୩୦ ଜଣ ଏକ ଅଟୋ ଭଡା କରି ପାପଡାହାଣ୍ଡି ଆସୁଥିଲେ। ତେବେ ଅପରାହ୍ନ ପ୍ରାୟ ୩ଟା ବେଳେ ହଠାତ୍‌ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିପଡିଥିଲା। ଅଟୋରେ ବସିଥିବା ପ୍ରାୟ ସମସ୍ତ ଯାତ୍ରୀ ଆହତ ହୋଇଥିବାରୁ ସମସ୍ତ ଆହତଙ୍କୁ ପାପଡାହାଣ୍ଡି ମେଡିକାଲକୁ ଅଣାଯାଇଥିଲା। ଆହତ ମାନଙ୍କ ମଧ୍ୟରୁ ଗୁରୁତର ଥିବା ୧୩ ଜଣ ଯାତ୍ରୀଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟରେ ପ୍ରାଥମିକ ଚିକିତ୍ସା କରିବା ପରେ ନବରଙ୍ଗପୁର ଜିଲ୍ଳା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

Advertisment

ନବରଙ୍ଗପୁର ମେଡିକାଲକୁ ପ୍ରଶାନ୍ତ ଗୌଡ(୧୨), ପିଣ୍ଟୁ ଗୌଡ(୧୦), ଜଗନ୍ନାଥ ଗୌଡ(୫୦), କମଳାଦେଇ ଗୌଡ(୪୫), ଆଶୁମତି ଗୌଡ(୨), ବିଶ୍ୱନାଥ ଗୌଡ(୩୦), ଚନ୍ଦ୍ର ଗୌଡ(୫୦), ଗୋମତି ଗୌଡ(୪୫), ଗୀତା ମାଝୀ(୭), ବିଜୟ ଭତ୍ରା, ବିଶ୍ୱନାଥ ଗଣ୍ଡ, ଚମ୍ପା ମାଝୀ, ଚନ୍ଦନ ରାୟ(୧୨) ପ୍ରମୁଖଙ୍କୁ ନବରଙ୍ଗପୁର ମେଡିକାଲକୁ ଅଣାଯାଇଛି। ସମସ୍ତଙ୍କ ମୁଣ୍ଡକୁ ଗଭିର ଆଘାତ ଲାଗିଥିବା ଜଣାପଡିଛି। ତେବେ ଚନ୍ଦନ ପୂଜାରୀ(୧୨)ଙ୍କ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପାପଡାହାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋଟିକୁ ଜବତ କରିଛି। ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ପରିବହନ ନେଇ ଏବେ ପୁଲିସ ଖଳତାଡ ଆରମ୍ଭ କରିଛି।