ନବରଙ୍ଗପୁର: ନବରଂଗପୁର ଜିଲ୍ଲାର ୧୫ଟି ମଣ୍ଡିରୁ ଧାନ ଉଠାଯାଉନି। ଏବେ ମଣ୍ଡିଗୁଡ଼ିରେ ରହିଛି ୩୬ ହଜାର ବସ୍ତା ଧାନ। ଖୋଲାମେଲାରେ ଧାନ ପଡିଥିବା ବେଳେ କ୍ରେତାଙ୍କ ଦେଖାଦର୍ଶନ ନାହିଁ। ଫଳରେ ନିଜ ଧାନର ସୁରକ୍ଷା ପାଇଁ ହାଡ଼ଭଙ୍ଗା ଶୀତରେ ରାତି ଉଜାଗର ରହି ଜଗି ରହିଛନ୍ତି ଚାଷୀ। ଏହାକୁ ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଜିଲ୍ଲାରେ ଚାଷୀଙ୍କ ଠାରୁ ୧୦ ଲକ୍ଷ ୨୯ ହଜାର ୮୫୦ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଗତ ନଭେମ୍ବର ମାସ ୨୭ ତାରିଖରେ ଧାନ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ୫ ଲକ୍ଷ ୮୧ ହଜାର ୩୭୫ କୁଇଣ୍ଟାଲ ଧାନ କିଣାଯାଇଛି। ଯେଉଁ ମିଲର୍ସମାନେ ଗତବର୍ଷ ଧାନ ନେଇ ଧାର୍ଯ୍ୟ ପରିମାଣର ଲେଭି ଚାଉଳ ଦେଇ ନାହାନ୍ତି ସେମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍ ଦେବାକୁ ଯୋଗାଣ କମିଶନର ନିର୍ଦେଶ ଦେଇଛନ୍ତି। ଏହି ନିଦେଁ ପ୍ରକାରେ ଜିଲ୍ଲାର ୩୨ଟି ମିଲ୍କୁ ଧାନ ସଂଗ୍ରହରୁ ବାଦ୍ ଦିଆଯାଇଥିଲା। ଫଳରେ ମଣ୍ଡିରୁ ଧାନ ଉଠାଇବାକୁ ମିଲର୍ସ ନଆସିବାରୁ ଗତ ୩ ଦିନ ମଧ୍ୟରେ ଝରିଗାଁ ବ୍ଲକର ଚଚା, ଚଟାଗୁଡା, ବେଲଗାଁ, ଝରିଗାଁ ମଣ୍ଡି, ନନ୍ଦାହାଣ୍ଡି ବ୍ଲକର ସରୁଗୁଡା ଓ ନନ୍ଦାହାଣ୍ଡି ମଣ୍ଡି, ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମ୍ମା ଓ କଟାଗାଁ, ନବରଙ୍ଗପୁର ବ୍ଲକର ବଡମସିଗାଁ ମଣ୍ଡି, ରାଇଘର ବ୍ଲକର ହାଟଭରଣ୍ଡି ଓ ରାଇଘର ମଣ୍ଡି ଏଭଳି ୧୫ଟି ମଣ୍ଡିରେ ୩୬ ହଜାର ବସ୍ତା ଧାନ ଗଛିତ ହୋଇ ରହିଛି। ଚାଷୀମାନେ ମିଲର୍ସଙ୍କୁ ଅପେକ୍ଷା କରି ଶୀତ କାକରରେ ପଡ଼ି ରହିଛନ୍ତି। ତେବେ ଧାନକିଣାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଦ୍ ପଡ଼ିଥିବା ୩୨ଟି ମିଲ୍ ମଧ୍ୟରୁ ବର୍ତ୍ତମାନ ୧୦ଟି ମିଲର ଟାର୍ଗେଟ ଅନୁଯାୟୀ ଚାଉଳ ଦେଇଥିବା ବେଳେ ଆଉ ୭ଟି ମିଲ୍ ଲକ୍ଷ୍ୟର ପାଖାପାଖି ଚାଉଳ ଦେଇଛନ୍ତି। ତେଣୁ ଏହି ୧୭ଟି ମିଲ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ଯୋଗାଣ କମିିଶନରଙ୍କ ନିକଟକୁ ଚିଠି କରଯାଇଥିବା ଜଣାପଡିଛି। ଏହି ୧୭ଜଣ ମିଲର୍ସଙ୍କୁ ଧାନ ଉଠାଇବା ପାଇଁ ଅନୁମତି ମିଳିଲେ ମଣ୍ଡି ଅଚଳାବସ୍ଥା ଦୂର ହୋଇଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ବେବର୍ତ୍ତା କହିଛନ୍ତି।
ଏ ନେଇ ମିଲ ମାଲିକ ସଂଘ ସଭାପତି ତାପସ ତ୍ରିପାଠୀଙ୍କୁ ଯୋଗାଯୋଗ କରାଯିବାରୁ ମିଲର୍ସମାନଙ୍କୁ ଅଯଥାରେ ହଇରାଣ କରାଯାଉଛି। ବୋଲି କହିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଆଗୁଆ ମଣ୍ଡି ଖୋଲାଯାଇଛି। ଧାନରେ ଜଳୀୟ ଅଂଶ ରହୁଥିବାରୁ ଏହାକୁ ତୁରନ୍ତ ମିଲିଂ କଲେ ଗଡ଼ି ହୋଇଯାଉଛି। ତେଣୁ ମିଲିଂ କରିବାରେ ବିଳମ୍ବ କରାଯାଉଛି। ଅନ୍ୟପକ୍ଷରେ ଆଦିବାସୀଙ୍କ ପରବ ଚାଲିଥିବାରୁ ଶ୍ରମିକ ସମସ୍ୟା ରହିଛି। ଚାଉଳ ଦେବାରେ ବିଳମ୍ବ କାରଣରୁ ମିଲର୍ସଙ୍କ ଉପରେ କଟକଣା ଲଗାଯିବା ଦ୍ୱାରା ଚାଷୀମାନେ ହଇରାଣ ହେଉଛନ୍ତି ବୋଲି ସେ କହିଛନ୍ତି।
ମଣ୍ଡିରେ ପଡ଼ିଛି ୩୬ ହଜାର ବସ୍ତା ଧାନ :ଶୀତ ରାତିରେ ଉଜାଗର ରହି ଧାନ ଜଗୁଛି ଚାଷୀ
/sambad/media/post_attachments/wp-content/uploads/2018/01/nabarang6.jpg)