ନବରଙ୍ଗପୁର : ସରକାର ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ପ୍ରାକ୍ ଶିକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି। ତେଣୁ ଶିଶୁଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଖେଳନା ଠାରୁ ଆରମ୍ଭ କରି ବିଭିନ୍ନ ଉପକରଣ ପ୍ରଦାନ କରୁଛନ୍ତି। ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ, ରୋଷେଇ ଗୃହ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗ, ପାଚେରି, ଉଦ୍ୟାନ ଆଦିର ବ୍ୟବସ୍ଥା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ନବରଙ୍ଗପୁର ଜିଲ୍ଲାରେ ଏବେ ବି ୩୭୪ ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ କୋଠା ନାହିଁ।

Advertisment

ନବରଙ୍ଗପୁର ଜିଲ୍ଲାରେ ମୋଟ ୨୨୨୧ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୧୮୪୭ଟି କେନ୍ଦ୍ରର ନିଜସ୍ବ କୋଠା ରହିଛି। ୧୩୩ଟି କେନ୍ଦ୍ର ଭଡା ଘରେ ଚାଲିଥିବା ବେଳେ ୧୨୧ଟି କେନ୍ଦ୍ର ସ୍କୁଲ ଗୃହରେ ଚାଲିଛି। ୧୦୪ଟି କେନ୍ଦ୍ର ଗାଁ କୋଠ ଗୃହରେ ଚାଲିଛି। ତେବେ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ମାସକ ପାଇଁ ଖାଦ୍ୟଶସ୍ୟ, ଛତୁଆ ଠାରୁ ଆରମ୍ଭ କରି ଯୋଗାଣ ହେଉଥିବା ବିଭିନ୍ନ ଉପକରଣ ଗଚ୍ଛିତ କରି ରଖିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଯେଉଁ କେନ୍ଦ୍ରର କୋଠ‌ ଗୃହ ଓ ଭଡା ଗୃହରେ ଚାଲିଛି ସେଠି ଏହି ଉପକରଣ ରଖିବା ଆଦୌ ସୁରକ୍ଷିତ ନୁହେଁ ବୋଲି ମତପ୍ରକାଶ ପାଇଛି।ମୋଟ ୧୮୫୭ କେନ୍ଦ୍ର ମଧ୍ୟରୁ ୧୭୪୭ କେନ୍ଦ୍ରରେ ‌ରୋଷେଇ ଘର ଥିବା ବେଳେ ୧୧୦ କେନ୍ଦ୍ରରେ ରୋଷେଇ ଗୃହ ନାହିଁ। ଯେଉଁ ରୋଷେଇ ଗୃହ ବି ରହିଥିବା ସେଥି ମଧ୍ୟରୁ ବହୁ ସଂଖ୍ୟାରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସେହିପରି ୯୪୧ କେନ୍ଦ୍ରରେ ‌ପାଇଖାନାର ସୁବିଧା ନାହିଁ। ମାତ୍ର ୧୧୨୫ କେନ୍ଦ୍ରରେ ନଳକୂପର ରହିଛି। ମାତ୍ର ୪୬୯ କେନ୍ଦ୍ରରେ ପାଚେରି ନିର୍ମାଣ ହୋଇପାରିଛି। ୧୨୬୭ କେନ୍ଦ୍ରରେ ବିଦ୍ୟୁତ ବ୍ୟବସ୍ଥା ରହିଥିବା ବେଳେ ୯୫୪ କେନ୍ଦ୍ରରେ ବିଦ୍ୟୁତ୍ ଆଲୁଅ ସୁବିଧା ନାହିଁ। ସେହିପରି ୯୫ଟି କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ୧୯୦ଟି କେନ୍ଦ୍ର ନିର୍ମାଣାଧୀନ ଅବସ୍ଥାରେ ରହିଛି। ୬୬ଟି କେନ୍ଦ୍ରକୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ କୋଠା କାମ ଆଜି ପର୍ଯ୍ୟନ୍ତ ଆରମ୍ଭ ହିଁ ହୋଇପାରି ନାହିଁ।

କିଛି ମାସ ପୂର୍ବେ ୧୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ତାହା ହସ୍ତାନ୍ତର ହୋଇନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। କୋ‌ଷାଗୁମୁଡା ବ୍ଲକ୍‌ର ସାନଗୁମୁଡା ଗ୍ରାମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କୋଠା ନିର୍ମାଣ ହେବାର ବହୁ ବର୍ଷ ପରେ ବି ଜମି ବିବାଦ ଯୋଗୁ ହସ୍ତାନ୍ତର ହୋଇପାରୁ ନାହିଁ। କେବଳ ସାନଗୁମୁଡା ନୁହେଁ ଏହିପରି ଜିଲ୍ଲାରେ ବହୁ ଅଙ୍ଗନବାଡି କୋଠା ନିର୍ମାଣ ହୋଇ ବର୍ଷ ବର୍ଷ ବିତି ଯାଉଥିଲେ ସୁଦ୍ଧା ଜମି ବିବାଦ ଯୋଗୁ ତାହା ହସ୍ତାନ୍ତର ହୋଇପାରୁ ନାହିଁ। ଯଦି କେନ୍ଦ୍ର ନିର୍ମାଣ ପୂର୍ବରୁ ଜମି ସର୍ଭେ କରାଯାଇ ନିର୍ମାଣ କରାଯାଏ ତେବେ ଏମିତି ବିବାଦ ରହିବ ନାହିଁ ବୋଲି କୁହାଯାଉଛି। ତେବେ ଅଙ୍ଗନବାଡି କେନ୍ଦ୍ର ହେଉ କିମ୍ବା ଏଏନଏମ୍ କୋଠା ହେଉ, ନିର୍ମା‌ଣ ପୂର୍ବରୁ ଗ୍ରାମବାସୀଙ୍କ ସହ ଆଲୋଚନା ହେଉନଥିବାରୁ ଉକ୍ତ କୋଠା ଗୁଡିକ ନିର୍ମାଣ ହୋଇ ବି କାର୍ଯ୍ୟକ୍ଷମ ହୋଇପାରୁ ନଥିବା ଦିସା ବୈଠକ‌ରେ ବିଧାୟକ ଓ ସାଂସଦ ଅସନ୍ତୋ‌ଷ ପ୍ରକାଶ କରିଥିଲେ।