ଦୁଷ୍କର୍ମ ମାମଲାରେ ୭ବର୍ଷ ଜେଲ

ନବରଙ୍ଗପୁର: ରାଇଘର ଥାନା ଅନ୍ତର୍ଗତ ଗୁଚାଗୁଡା ଗାଁର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଡିସମ ଗଣ୍ଡ ଦୋଷୀ ସାବ୍ୟସ୍ତ ହୋଇଛି। ସୂଚନା ଅନୁଯାୟୀ, ୨୦୧୬ ମସିହା ସେପ୍ଟେମ୍ବର ମାସ ୮ତାରିଖ ଦିନ ମୁଣ୍ଡିବେଡା ପଞ୍ଚାୟତ ଅନ୍ତର୍ଗତ ଚଚାଗୁଡା ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଡିସମ ଗଣ୍ଡ ଘରୁ ଡାକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ରାତି ସାରା ଯୁବତୀ ଜଣକ ଜଙ୍ଗଲରେ ପଡି ରହିଥିଲେ। ପରଦିନ ସକାଳୁ ଯୁବତୀ ଜଣକ କନିଅର ଫଳ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସ୍ଥାନୀୟ କିଛି ଲୋକ ଯୁବତୀଙ୍କୁ ଦେଖିବା ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ। ସେପ୍ଟେମ୍ବର ୧୧ତାରିଖ ଦିନ ଥାନାରେ ଏତଲା ଦିଆଯାଇଥିଲା। ରାଇଘର ଥାନା କେସ ନଂ ୧୯୯/୧୬ ରେ ଦଫା ୩୭୬ରେ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ମାମଲା ନବରଙ୍ଗପୁର କୋର୍ଟରେ କେସ ନଂ ସିଟି ୩/୧୭ରେ ବିଚାରାଧୀନ ରହିଥିଲା। ଆଜି ମାନ୍ୟବର ସ୍ୱତନ୍ତ୍ର ଟ୍ରାକ୍‌ କୋର୍ଟର ସହକାରୀ ସେସନ ବିଚାରପତି ଶିବ ପ୍ରସାଦ ମହାପାତ୍ର ୨୨ଜଣ ସାକ୍ଷୀ ଓ ପ୍ରମାଣକୁ ବିଚାର କରି ଅଭିଯୁକ୍ତ ଡିସମ ଗଣ୍ଡକୁ ୭ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ଏପିପି ସୁଧାକର ପଟ୍ଟନାୟକ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର