୩ ଦିନରେ ୮ ଛେଳି ମୃତ, ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଅବହେଳା ହୋଇଛି କହି ଦାୟୀ କଲେ ଚାଷୀ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମୋହକୁମାଠାରେ ଜଣେ ଚାଷୀଙ୍କର ତିନି ଦିନରେ ୮ଟି ଛେଳି ମୃତ୍ୟୁ ହୋଇଥିବା ବେଳେ ଝରିଗାଁ ପ୍ରାଣୀ ଚିକିତ୍ସାଳୟକୁ ଦାୟୀ କରିଛନ୍ତି ଚାଷୀ ସୁବାସ ଗୌଡ଼। ନିଜର ୮ଟି ଛେଳିଙ୍କ ମୃତ୍ୟୁ ପରେ ଚାଷୀ ଜଣକ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

ଝରିଗାଁ ତାଳିଆମ୍ବା ସାହିରେ ରହୁଥିବା ଚାଷୀ ସୁବାସ ଗୌଡ଼ ଘରେ ପ୍ରାୟ ୩୦ଟି ଛେଳି ରଖିଥିଲେ। ତେବେ ଗତ ଶନିବାର ଦିନ ସୁବାସ ଗୌଡ଼ଙ୍କ ପରିବାର ଲୋକ ଛେଳିମାନଙ୍କୁ ଚରେଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ନେଇଥିଲେ। ସେଠାରେ ବର୍ଷା ହେବା ଯୋଗୁଁ ଛେଳି ସବୁ ବର୍ଷାରେ ଭିଜି ଯାଇଥିଲେ। ଯେକୌଣସି ପ୍ରକାରେ ଛେଳି ଗୁଡିକ ଘରେ ପହଂଚିଥିବା ବେଳେ ରବିବାର ଦିନ ଛେଳିମାନଙ୍କୁ ଥଣ୍ଡା ହେବା ସହ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ସୋମବାର ଦିନଠାରୁ ସେମାନେ ଖାଦ୍ୟ ଖାଇବା ଛାଡ଼ି ଦେଇଥିଲେ ଓ ସେମାନଙ୍କର ଝାଡା ଆରମ୍ଭ ହୋଇଥିଲା।

ଘଟଣା ନେଇ ସୋମବାର ଦିନ ଚାଷୀ ସୁବାସ ଝରିଗାଁ ପ୍ରାଣୀ ଚିକିତ୍ସାଳୟରେ ସୂଚନା ଦେଇଥିଲେ। ତେବେ ଝରିଗାଁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଛେଳିମାନକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେହି ଆସିନଥିଲେ। ଶେଷରେ ଚାଷୀ ସୁବାସ ସୋମବାର ଦିନ ଦୁଇଟି ଛେଳିକୁ ଝରିଗାଁ ପ୍ରାଣୀ ଚିକିତ୍ସାଳୟ ନେଇ ଚିକିତ୍ସା କରିଥିଲେ। ଥଣ୍ଡା ଏବଂ ଝାଡା ଅଧିକ ହେବା ଯୋଗୁଁ ବୁଧବାର ଦିନ ୩ଟି ଛେଳି, ଗୁରୁବାର ଦିନ ୩ଟି ଛେଳି ଏବଂ ଶୁକ୍ରବାର ଦିନ ୨ଟି ଛେଳିଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଝରିଗାଁ ପ୍ରାଣୀ ଚିକିତ୍ସାଳୟକୁ ସୋମବାର ଦିନ ସେ ସୂଚନା ଦେବା ସତ୍ତ୍ବେ ବି ପ୍ରାଣୀ ଚିକିତ୍ସାଳୟରୁ ଛେଳିମାନଙ୍କ ଚିକିତ୍ସା ପାଇଁ କେହି ଆସିନଥିବା ଚାଷୀ ସୁବାସ ଅଭିଯୋଗ କରିଛନ୍ତି।

ଯଦି ଝରିଗାଁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ତୁରନ୍ତ ଛେଳି ଗୁଡିକର ଚିକିତ୍ସା କରାଯାଇଥାନ୍ତା ତେବେ ୮ଟି ଛେଳି ମରିନଥାନ୍ତେ ବୋଲି ସେ ଅଭିଯୋଗ ଆଣିଛନ୍ତି। ଜୀବିତ ଥିବା ସମସ୍ତ ଛେଳିକୁ ଝରିଗାଁ ପ୍ରାଣୀ ଚିକିତ୍ସାଳୟ ତରଫରୁ ଦୁଇ ଦିନ ଧରି ଚିକିତ୍ସା କରିବା ପରେ ଆଜି ସମସ୍ତ ଛେଳି ସୁସ୍ଥ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର