ଅଜଣା ଗାଡ଼ି ଧକ୍କାରେ ଦାଦନ ଶ୍ରମିକର ମୃତ୍ୟୁ, ଶବ ଫେରାଇ ଆଣିବା ପାଇଁ ପରିବାରର ନିବେଦନ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଜଣେ ଯୁବକ ତାମିଲନାଡ଼ୁରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ରବିବାର ଦିନ ସାପ୍ତାହିକ ଛୁଟି ରହିଥିବା ଯୋଗୁ ସନ୍ଧ୍ୟା ସମୟରେ ବାହାରି ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଉଥିଲେ। ରାସ୍ତା ପାର ହେବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଦାଦନର ମୃତ୍ୟୁ ଘଟିଛି।

ମୃତ ଦାଦନ ଜଣକ ପାପଡାହାଣ୍ଡି ବ୍ଲକ ପାତ୍ରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଳିଗୁଡା ଗ୍ରାମର ଉରିଅ ରୂପଚାନ୍ଦ (୨୬) ବୋଲି ଜଣାପଡ଼ିଛି ।ମୃତ ଉରିଅଙ୍କ ଶବ ତାମିଲନାଡ଼ୁ ରାଜ୍ୟର ତ୍ରିପୁର ଜିଲ୍ଲା ଅବିନାଶୀ ଥାନା ଅନ୍ତର୍ଗତ ଏକ ମେଡିକାଲ ରେ ପଡ଼ିରହିଥିବା ବେଳେ ଏନେଇ ଖବର ପାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସୂଚନା ଅନୁଯାୟୀ ଖଳିଗୁଡା ଗ୍ରାମର ଦୀପ୍ତିପ୍ରକାଶ ରୂପଚାନ୍ଦଙ୍କ ପୁଅ ଉରିଅ ରୂପଚାନ୍ଦ (୨୬) ନିଜ ଗ୍ରାମର କିଛି ଯୁବକ ସହିତ ମିଶି ଜୁନ ମାସ ପ୍ରଥମ ସପ୍ତାହରେ  ତ୍ରିପୁର ଜିଲ୍ଲା ଅବିନାଶୀ ଗ୍ରାମକୁ ଯାଇଥିଲେ। ସେଠାରେ ଏକ କପଡା କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ। ରବିବାର ଦିନ ସାପ୍ତାହିକ ଛୁଟି ଯୋଗୁ କାରଖାନା ବନ୍ଦ ରହିଥିବା ଯୋଗୁ ସାଙ୍ଗମାନଙ୍କ ସହ ମିଶି ବୁଲିବାକୁ ଯାଇଥିଲେ। ରାତ୍ର ୧୦ ଘଣ୍ଟା ସମୟରେ ଘରକୁ ଫେରିବା ବେଳେ ରାସ୍ତା ପାର ହେବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ଉରିଅଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଉରିଅଙ୍କ ଶବ ଅବିନାଶୀ ଗ୍ରାମର ଏକ ମେଡିକାଲରେ ପଡିରହିଛି। ମୃତ ଉରିଅଙ୍କ ଶବ କିଭଳି ଗାଁ କୁ ପହଞ୍ଚିବ ସେନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି । ଉରିଅଙ୍କ ଦୁଇ ସନ୍ତାନ ରହିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ୬ ମାସର ଗର୍ଭବତୀ ରହିଛନ୍ତି । ଦାଦନ ଶବକୁ ଗାଁକୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର