ହତ୍ୟା ଉଦ୍ୟମ ମାମଲାରେ ୪ବର୍ଷ କାରାଦଣ୍ଡ

ନବରଙ୍ଗପୁର : ନବରଙ୍ଗପୁର ଥାନା ଡଙ୍ଗରଭେଜା ଫାଣ୍ଡି ଅନ୍ତର୍ଗତ ସାଗରମୁଣ୍ଡା ଗାଁରେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲାରେ ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ବିଚାରପତି ରାଜ କିଶୋର ମହାପାତ୍ର ଅଭିଯୁକ୍ତକୁ ୪ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଗତ ୨୦୧୭ ଅଗଷ୍ଟ ୧୪ତାରିଖ ସକାଳ ପ୍ରାୟ ସାଢେ ୫ଟା ସମୟରେ ସାଗରମୁଣ୍ଡା ଗାଁର ଚିତ୍ରସେନ ମାଝୀ ଓ ରମେଶ ନାୟକ ନିକଟସ୍ଥ ଏକ ପୋଖରୀରୁ ଗାଧୋଇ ଘରକୁ ଫେରିବା ସମୟରେ ସେହି ଗାଁର ରଘୁରାମ କୁମ୍ଭାର ଚିତ୍ରସେନଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଲୁହା ଛଡରେ ମୁଣ୍ଡକୁ ଆକ୍ରମଣ କରିଥିଲା। ଏ ନେଇ ଚିତ୍ରସେନଙ୍କ ଭାଇ ଭଗତ ମାଝୀ ଡଙ୍ଗରଭେଜା ଫାଣ୍ଡିରେ ଏତଲା ଦେଇଥିଲେ।

ଉକ୍ତ ଏତଲାକୁ ଭିତ୍ତି କରି ନବରଙ୍ଗପୁର ଥାନାରେ କେସ ନଂ-୨୨୫/୧୭ରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ପୁଲିସ ଅଭିଯୁକ୍ତ ରଘୁରାମ କୁମ୍ଭାରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନରୁ ରଘୁରାମ ବିଚାରାଧୀନ କଏଦୀ ରୂପେ ଜେଲରେ ଥିଲେ। ଏହି ମାମଲା ନବରଙ୍ଗପୁର କୋର୍ଟର ମୁଖ୍ୟ ବିଚାର ବିଭାଗୀୟ ଅଦାଲତରେ ବିଚାରଧୀନ ଥିଲା। ବିଚାରପତି ରାଜ କିଶୋର ମହାପାତ୍ର ଏହି ମାମଲାରେ ୧୩ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ରଘୁରାମ କୁମ୍ଭାରକୁ ୪ବର୍ଷ ସଶ୍ରମ କରାଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ଏପିପି ସନ୍ତୋଷ ମିଶ୍ର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର