୨ମାସ ପରେ ହତ୍ୟାକାଣ୍ଡର ପର୍ଦାଫାସ:ଛତିଶଗଡ଼ର ୨ଅଭିଯୁକ୍ତ ଗିରଫ

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗଡା ଓ ଆମ୍ବଗୁଡା ଗାଁ ମଝିରେ ଥିବା ଆମ୍ବତୋଟାରେ ଦୁଇ ମାସ ତଳେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରୁ ପୁଲିସକୁ ଗୋଟିଏ ରକ୍ତ ଜୁଡୁବୁଡୁ ଚପଲ ବି ମିଳିଥିଲା। କିନ୍ତୁ ପୁଲିସର ଅନୁସନ୍ଧାନ ସମୟରେ ମଣିଷ ରକ୍ତ ଏଠାକୁ କେମିତି ଆସିଲା ଜଣାପଡି ନଥିଲା। ସନ୍ଧାନୀ କୁକୁର ସହାୟତାରେ ପୁଲିସ ଶବ ଖୋଜିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ତେବେ ପ୍ରାୟ ଦୁଇ ମାସ ପରେ ଏହି ରହସ୍ୟ ଉପରୁ ପଦରା ଉଠାଇଛି ଛତିଶଗଡ ଗରିଆବନ୍ଧ ପୁଲିସ। ଯେଉଁ ସ୍ଥାନରେ ରକ୍ତ ପଡିଥିବା ସେଠାରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପରବର୍ତୀ ସମୟରେ ଅଭିଯୁକ୍ତ ପ୍ରମାଣ ନଷ୍ଟ କରିବାକୁ ଶବକୁ ନେଇ ଝରିଗାଁ ଜଙ୍ଗଲରେ ଫୋପାଡି ଦେଇଥିଲା। ଛତିଶଗଡ ପୁଲିସକୁ ଏନେଇ ସଠିକ୍‌ ତଥ୍ୟ ମିଳିବା ପରେ ଆଜି ଚନ୍ଦାହାଣ୍ଡି ଆସି ତନାଘନା କରିଛି। ଜଙ୍ଗଲରେ ଗଳିତ ଅବସ୍ଥାରେ ରହିଥିବା ଶବକୁ ଜବତ କରିଛି।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସ ୨୦ ତାରିଖ ସକାଳେ ବୋରିଗୁଡା ଓ ଆମ୍ବଗୁଡା ଗ୍ରାମର କିଛି ବ୍ୟକ୍ତି ସକାଳେ ଶୌଚ ପାଇଁ ଯିବା ସମୟରେ ବୋରିଗୁଡା ଆମ୍ବ ବଗିଚା ନିକଟ ପରିତ୍ୟକ୍ତ କୂଅ ପାଖରେ ରକ୍ତ ଛିଟା ପଡିଥିବା ଦେଖିବାକୁ ପାଇଥିଲେ। ଏପରିକି କୂଅ ଠାରୁ ଅଳ୍ପ ଦୂରରେ ଗୋଟିଏ ରକ୍ତ ଜୁଡୁବୁଡୁ ଚପଲ ଦେଖି ସନ୍ଦେହ ହେବାରୁ ଆଖାପାଖ ଅଞ୍ଚଳ ଖୋଜାଖୋଜି କରିଥିଲେ। ଆମ୍ବ ବଗିଚା ଠାରୁ ପ୍ରାୟ ୩ଶହ ମିଟର ଦୂର ଆମ୍ବଗୁଡା-ବାବୁରିଆ ଗ୍ରାମକୁ ସଂଯୋଗ କରୁଥିବା କଲଭର୍ଟରେ ରକ୍ତ ପଡିଥିବା ଦେଖିଥିଲେ। ପରବର୍ତୀ ସମୟରେ ଗାଁ ଲୋକ ତତ୍କାଳୀନ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଦୀପ ମହନ୍ତଙ୍କୁ ଅବଗତ କରାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କୂଅ ନିକଟରେ ଅନୁଧ୍ୟାନ କରିଥିଲା। କାହାକୁ ହତ୍ୟା କରି କୂଅରେ ପକାଇ ଦିଆଯାଇଥିବା ସନ୍ଦେହ କରି ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ ବିଭାଗ ଅଧିକାରୀ ପବିତ୍ର ମୋହନ ପୂଜାରୀଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ କୂଅରେ ଖୋଜାଖୋଜି କରିବା ସତ୍ତ୍ୱେ କିଛି ପାଇ ନଥିଲେ। ଯାହାକି ପୁଲିସର ମୁଣ୍ଡବ୍ୟଥାକୁ ବଢାଇ ଦେଇଥିଲା। ସନ୍ଧାନୀ କୁକୁରକୁ ବି ବିଶେଷ ସଫଳତା ମିଳି ନଥିଲା। ଛତିଶଗଡ ସୀମାକୁ ଲାଗି ଏହି ଅଞ୍ଚଳ ରହିଥିବାରୁ ଚନ୍ଦାହାଣ୍ଡି ପୁଲିସ ଛତିଶଗଡର ଗରିଆବନ୍ଧ ପୁଲିସକୁ ଅବଗତ କରାଇଥିଲା।
ଅନ୍ୟପକ୍ଷରେ ଛତିଶଗଡ ଗରିଆବନ୍ଧ ଅଞ୍ଚଳର ଅଲତାଫ କୁରେଶି ଦୀର୍ଘ ଦିନ ଧରି ନିଖୋଜ ଥିବା ନେଇ ପରିବାର ଲୋକ ଗତ ଏପ୍ରିଲ ମାସରେ ସ୍ଥାନୀୟ ପୁଲିସକୁ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାର ବିଭିନ୍ନ ଦିଗକୁ ନେଇ ଖୋଳତାଡ କରିବାରୁ ଅଲତାଫକୁ ହତ୍ୟା କରାଯାଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ତେଣୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଦୁଇ ଅଭିଯୁକ୍ତ ୟାସିର ଅବ୍‌ବାସି ଏବଂ ଝୁମୁକଲାଲ ୟାଦବକୁ ନେଇ ପଚରା ଉଚୁରା କରିଥିଲା। ଦୁହେଁ ହତ୍ୟାକାଣ୍ଡକୁ ସ୍ୱୀକାର କରିବାରୁ ଛତିଶଗଡ ପୁଲିସ ଚନ୍ଦାହାଣ୍ଡି ଆସି ଥାନା ଅଧିକାରୀ ତରଣୀସେନ ନାୟକଙ୍କୁ ଘଟଣା ସଂପର୍କରେ ଜଣାଇଥିଲା। ଅଭିଯୁକ୍ତ ଦ୍ୱୟ ବୋରିଗୁଡାର ଉକ୍ତ ପରିତ୍ୟକ୍ତ କୂଅ ନିକଟରେ ଅଲତାଫ କୁରେଶିଙ୍କୁ ହତ୍ୟା କରି ପ୍ରଥମେ କୂଅ ଭିତରକୁ ଶବ ଫିଙ୍ଗି ଦେଇଥିଲେ। କିନ୍ତୁ ଶବ ମିଳିଗଲେ ଧରା ପଡିଯିବାର ଭୟ ରହିଥିବାରୁ ପୁଣି କୂଅରୁ ଶବ ବାହାର କରିଥିଲେ। ଗୋଟିଏ ମୋଟର ସାଇକଲ ଯୋଗେ ଝରିଗାଁ ଘାଟି ପର୍ଯ୍ୟନ୍ତ ଯାଇ କରଲାପଡା ଘଂଚ ଜଙ୍ଗଲରେ ଶବ ଫିଙ୍ଗି ଚାଲି ଯାଇଥିଲେ। ପୁଲିସ ଝରିଗାଁ ଘାଟି କରଲାପଡା ଜଙ୍ଗଲକୁ ଅଭିଯୁକ୍ତଙ୍କୁ ନେଇଥିବା ଶବ ଖୋଜିଥିଲା। ତେବେ ଦୀର୍ଘ ଦିନ ଧରି ଶବ ଖୋଲାରେ ପଡି ରହିଥିବାରୁ ଗଳିତ ଅବସ୍ଥାରେ ଖପୁରି ଏବଂ ହାତ ହିଁ ମିଳିଥିଲା। ଶରୀରର ଅନ୍ୟ ଅଂଶକୁ ବନ୍ୟଜନ୍ତୁ ନେଇ ଯାଇଥିବା ଅନୁମାନ କରାଯାଉଛି। ନବରଙ୍ଗପୁର ଏସପି ଏବଂ ଗରିଆବନ୍ଧ ଏସପିଙ୍କ ମଧ୍ୟରେ ଘଟଣା ସଂପର୍କରେ ଆଲୋଚନା ଜାରି ରହିଛି। ଗରିଆବନ୍ଧ ପୁଲିସ ତଦନ୍ତ ଜାରି ରଖିବା ସହ ପ୍ରମାଣ ଯୋଗାଣ କରିବାକୁ ଦୁଇ ଅଭିଯୁକ୍ତଙ୍କୁ ପଚରା ଉଚୁରା ଚଳାଇଛି।

ସମ୍ବନ୍ଧିତ ଖବର