ନବରଙ୍ଗପୁର: ଖରିଫ ଧାନ କଟା ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି। ପର୍ଯ୍ୟାପ୍ତ ପରିମାଣର କୃଷି ଶ୍ରମିକ ଓ ଧାନ କଟା ଯନ୍ତ୍ର ଥ୍ରେସର ମିଳୁନି। ତେଣୁ ଚାଷୀଙ୍କ ପୁରା ପରିବାର ଧାନ କାଟିବା ଓ ବୋହିବା ଆଦି କାମରେ ଲାଗି ପଡିଛନ୍ତି। ସାଟେଲାଇଟ୍ ସର୍ଭେ ଆରମ୍ଭ ହୋଇନି। ଧାନ କଟାଯାଇଥିବା ପ୍ଲଟ ଗୁଡିକ ସର୍ଭେ ବେଳେ ଖାଲି ଫଟୋଚିତ୍ର ଆସିଯିବକି ବୋଲି ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କେବେ ଠାରୁ ଜିଲ୍ଲାରେ ଖରିଫ ମଣ୍ଡି ଆରମ୍ଭ କରାଯାଇ ଧାନ କିଣାଯିବ ସେ ତାରିଖ ଘୋଷଣା ହୋଇନି। ଧାନ କାଟୁଥିବା ସମୟରେ ପୁଣି ବର୍ଷା କିମ୍ବା ଲଘୁଚାପ ଆସିଲେ ଧାନ ନଷ୍ଟ ହେବା ଚିନ୍ତା ବି ଘାରିଛି।
୯୫ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ
ଜିଲ୍ଲାରେ ୯୫ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଇଛି। ୫୯ଟି ମଣ୍ଡିରେ ଧାନ ବିକ୍ରି କରିବାକୁ ୧୩ଟି ଲ୍ୟାମ୍ପ, ୪୪ଟି ଏସଏଚଜି, ୨ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ୫୦ହଜାର ୯୧୮ଜଣ ଚାଷୀ, ପଂଜୀକୃତ କରିଥିବା ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି। ଜିଲ୍ଲାର ୧୩ଟି କ୍ରୟକାରୀ ସଂସ୍ଥା ଲ୍ୟାମ୍ପରେ ୨୨ହଜାର ୨୨୧ଜଣ, ୪୪ଟି ମହିଳା ସ୍ବୟଂ ସହାୟକ ଦଳ ଜରିଆରେ ୨୬ହଜାର ୫୧୫ଜଣ ଓ ୨ଟି ପାଣି ପଂଚାୟତ ଜରିଆରେ ୨୧୮୨ଜଣ ଚାଷୀ ଧାନ ବିକ୍ରି କରିବାକୁ ପଂଜୀକରଣ କରାଇଛନ୍ତି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।
ଆହୁରି ପଢ଼ନ୍ତୁ: IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଫେରିଲେ ରିଷଭ ପନ୍ତ
ଚାଷଜମି ଯାଞ୍ଚ କରିବେ ଯୁଗ୍ମ ସର୍ଭେ କମିଟି
ଉପଗ୍ରହ ଜରିଆରେ ଯାଞ୍ଚ ପରେ ସଂଦେହାଜନକ ପ୍ଲଟ୍ ଚିହ୍ନଟ ହେବ। ଏହି ପ୍ଲଟ ଗୁଡିକ ନିକଟକୁ ଯାଇ ଯୁଗ୍ମ କମିଟି ନିଜ ମୋବାଇଲରେ ଥିବା ଓଡିଶା ପେଡି ଲ୍ୟାଣ୍ଡ ସର୍ଭେ (ଓପିଏଲସି) ଆପରେ ଯାଞ୍ଚ କରିବେ। ନିଜ ମୋବାଇଲରେ ଏହି ଆପକୁ ଅନ୍ କରି ଗୁଗୁଲ କମ୍ପାସ ଜରିଆରେ ଲଙ୍ଗଟିଚୁଡ ଓ ଲାଟିଚୁଡ୍ ଆଦିକୁ ନେଇ ସଂଦେହାଜନକ ପ୍ଲଟର ଫଟୋ ଚିତ୍ର ଉତ୍ତୋଳନ କରି ଆପରେ ଅପଲୋଡ କରିବେ। ସେଭଳି ଅଧିକାରୀମାନେ ଓଡ଼ିଶା ପେଡ଼ି ଲ୍ୟାଣ୍ଡ ମନିଟରିଂ (ଓଲଏମ୍) ଆପ୍ ନିଜ ମୋବାଇଲରେ ଡାଉନଲୋଡ୍ କରି ଏଥିରେ ଯୁଗ୍ମ ସର୍ଭେ କମିଟି ଅପଲୋଡ୍ କରିଥିବା ସଂଦେହାସ୍ପଦ ପ୍ଲଟର ଫଟୋଚିତ୍ରକୁ ପୁନଃ ଯାଂଚ କରିବେ। ଏହା ପରେ ସଂଦେହାସ୍ପଦ ପ୍ଲଟକୁ ଚାଷୀ ପଂଜିକରଣ କରିଥିବା ପ୍ଲଟ୍ ମଧ୍ୟରୁ ବାଦ୍ ଦିଆଯିବ। ଏବଂ ସେ ଅନୁଯାୟୀ ଚାଷୀଙ୍କ ପି-ପାସ୍ (ପେଡି ପ୍ରୋକ୍ୟୁରମେଣ୍ଟ ଅଟୋମେସନ୍ ସିଷ୍ଟମ୍) ପ୍ରସ୍ତୁତ କରାଯିବ। ଏ ଅନୁଯାୟୀ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟକୋନ ମିଳିବ।
ଆହୁରି ପଢ଼ନ୍ତୁ: Administration Reached Village: ମନୁଷପଦର ଗ୍ରାମରେ ପହଞ୍ଚିଲା ପ୍ରଶାସନ
ଚିନ୍ତା କରନ୍ତୁନି ଚାଷୀ: ଅଧିକାରୀ
ତେବେ ଧାନ କଟା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଖାଲି ପଡ଼ିଥିବା ପ୍ଲଟର ଫଟୋ ଚିତ୍ର ଆସିଲେ ବି ଯୁଗ୍ମ କମିଟି କ୍ଷେତ୍ର ପରିଦର୍ଶନ ସମୟରେ ପୁଣି ଫଟୋ ଅଫଲୋଡ କରିବେ ଏଥି ପାଇଁ ଚାଷୀ ଚିନ୍ତା ନ କରିବା ପାଇଁ କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧି ରଂଜନ ବେହେରା। ଜିଲ୍ଲାରେ ୧୦୦ଟି ଧାନକାଟିବା ପାଇଁ ୨ରକମର ଥ୍ରେସର ମେସିନ୍ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/05/paddy-2025-11-05-21-05-58.jpg)