ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମର ଜଣେ ବୃଦ୍ଧଙ୍କର ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆଜି ସକାଳୁ ଟିପାଗୁଡା ଗ୍ରାମର ବନସିଂ ଗୌଡ଼ (୬୦)ଗାଁ ଠାରୁ ଅଧା କିଲୋମିଟର ଦୂର ଜଙ୍ଗଲକୁ ଶୌଚ ପାଇଁ ଯାଉଥିଲେ। ହଠାତ ଏକ ଭାଲୁ ସହ ସେ ସାମ୍ନାସାମ୍ନି ହୋଇ ଯାଇଥିଲେ। ବନସିଂ ଗୌଡ଼ଙ୍କୁ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ବନସିଂ ଗୌଡ଼ ଚିତ୍କାର କରିବାରୁ ତାଙ୍କ ପାଟି ଶୁଣି ଆଖପାଖ ଲୋକେ ଆସି ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ। ଏଣେ ଭାଲୁଟି ଦୌଡ଼ି ସେଠାରୁ ପଳାଇଥିଲା।
ଭାଲୁ ଆକ୍ରମଣରେ ବନସିଂଙ୍କର ମୁଣ୍ଡରେ ପ୍ରବଳ ଆଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଘରକୁ ଆଣିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଟିପାଗୁଡା ଗ୍ରାମର ରାସ୍ତା ଖରାପ ଥିବା ଯୋଗୁଁ ଆମ୍ବୁଲାନ୍ସ ବନସିଂ ଘରୁ ୨ ଶହ ମିଟର ଦୂରରେ ରହିଯାଇଥିଲା। ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ଏକ ଖଟିଆ ଯୋଗେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିବା ପରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ପରିବାର ଲୋକ ଜଣାଇଥିଲେ। ସେଠାରେ ଡାକ୍ତର ବନସିଂଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ତରଫରୁ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଝରିଗାଁ ପୁଲିସ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।
ଭାଲୁ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ
/sambad/media/post_attachments/wp-content/uploads/2021/09/5f4918ac-028a-4a9b-aa83-607b5a59e1c3.jpg)
/sambad/media/agency_attachments/2024-07-24t043029592z-sambad-original.webp)