ଅଙ୍ଗନଓ୍ଵାଡି ଗୃହ ନାହିଁ, ବାରଣ୍ଡାରେ ଚାଲିଛି କେନ୍ଦ୍ର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ ତୁଳସୀପଦର ଗାଁରେ ଅଙ୍ଗନବାଡି କେନ୍ଦ୍ର ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ଚାଲିଛି। ଏହି ଗାଁରେ ବହୁ ବର୍ଷ ପୂର୍ବେ ଅଙ୍ଗନଓ୍ଵାଡି କେନ୍ଦ୍ର ସ୍ଥାପନ କରାଯାଇ କର୍ମୀ ଓ ସହାୟିକାଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ଏଠାରେ ଅଙ୍ଗନୱାଡି କୋଠା ସ୍ଥାପନ ହୋଇପାରିନାହିଁ। ଫଳରେ ଅଙ୍ଗନଓ୍ଵାଡି କେନ୍ଦ୍ରକୁ ଆସୁଥିବା ପ୍ରାୟ ୨୦ଜଣ ଶିଶୁ ଗାଁର ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ବସି ପଢୁଥିବା ବେଳେ ଅଙ୍ଗନୱାଡି କର୍ମୀ ଘରେ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେଉଛନ୍ତି। ତେବେ ଅଙ୍ଗନଓ୍ଵାଡି କୋଠା ନଥିବାରୁ ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ଖାଦ୍ୟ ଠାରୁ ଆାରମ୍ଭ କରି ଖେଳନା ଏବଂ ସମସ୍ତ କାଗଜପତ୍ର ଅଙ୍ଗନଓ୍ଵାଡି କର୍ମୀ ତାଙ୍କ ଘରେ ରଖିବାକୁ ବାଧ୍ୟ ହେଉଛନ୍ତି।

ପାପଡାହାଣ୍ଡି ବ୍ଲକରେ ବହୁ ଅଙ୍ଗନଓ୍ଵାଡି କେନ୍ଦ୍ରର କୋଠା ନଥିବାରୁ ଏପରି ଅଚଳାବସ୍ଥା ଦେଖାଦେଇଛି। ସେହିପରି ତୁଳସୀପଦର ଗାଁରେ ବହୁ ସମସ୍ୟା ରହିଛି। ମଇଦଲପୁର ଠାରୁ ୩ କିମି ଦୂରରେ ଥିବା ଏହି ଗାଁରେ ପ୍ରାୟ ୩୫ ପରିବାରର ଦୁଇ ଶହରୁ ଊର୍ଧ୍ୱ ଲୋକ ବାସ କରୁଛନ୍ତି। ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ଜାତୀୟ ରାଜପଥ ଠାରୁ ପ୍ରାୟ ତିନି ଶହ ମିଟର ଦୂରରେ ଥିବା ଏହି ଗାଁକୁ ମାଟି ଓ ମୋରମ ରାସ୍ତା ଥିବାରୁ ବର୍ଷା ଦିନ ହେଲେ ଗାଁକୁ ଆମ୍ବୁଲାନସ ଆସିପାରୁ ନାହିଁ। ଗାଁରେ ପାନୀୟ ଜଳ ସମସ୍ୟା ବି ଉତ୍କଟ ରୂପ ନେଇଛି। ଗୋଟିଏ ନଳକୂପ ରହିଥିବାରୁ ଖରାପ ହେଲେ ଝରଣାରୁ ପାଣି ଆଣି ବ୍ୟବହାର କରୁଛନ୍ତି। ଏଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଅଙ୍ଗନଓ୍ଵାଡି କେନ୍ଦ୍ର କୋଠା ସ୍ଥାପନ କରିବା ସହ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର