ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ କନ୍ୟାଶ୍ରମ ନିକଟ ଅଙ୍ଗୀନଦୀ ଶ୍ମଶାନ ଘାଟ ୨୦ ଲକ୍ଷ ଖର୍ଚ୍ଚ ପରେ ମଧ୍ୟ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ଶ୍ମଶାନ ଘାଟରେ ଶବ ସଂରକ୍ଷଣ ଗୃହ, ଶବ ଦାହ ଗୃହ, ସବାଧାରରେ ଆସିଥିବା ଯାତ୍ରୀଙ୍କ ନିମନ୍ତେ ବିଶ୍ରାମ ଗୃହ, ପାନୀୟ ଜଳ ସୁବିଧା ସହ ଶ୍ମଶାନ ପରିସରରେ ଆଲୋକୀକରଣ ବ୍ୟବସ୍ଥା କାର୍ଯ୍ୟ ବାକି ରହିଛି। ତେବେ ଏହା କେବେ ସମ୍ପୂର୍ଣ ହେବ ତାହା ପ୍ରଶ୍ନବାଚୀ ହୋଇ ରହିଛି।

Advertisment

ଡାବୁଗାଁ କନ୍ୟାଶ୍ରମ ନିକଟ ଅଙ୍ଗିନଦି ଶ୍ମଶାନ ଘାଟ ରେ ଡାବୁଗାଁ ଓ ଡଙ୍ଗରିଗୁଡ଼ାର ପ୍ରାୟ ୮୦ ପ୍ରତିଶତ ଲୋକେ ଶବ ଦାହ କରିଥାନ୍ତି। ଏହି ଶ୍ମଶାନ ଘାଟ ବ୍ୟେତିତ ନୂଆଗୁଡ଼ା-ଉମୁରାହାଣ୍ଡି ଅଙ୍ଗିନଦି ଶ୍ମଶାନ ଘାଟ, ଗୌଡ଼ସାହି ନିକଟ ଅଙ୍ଗିନଦି ଶ୍ମଶାନଘାଟରେ ମଧ୍ୟ ଲୋକେ ଶବଦାହ କରିଥାନ୍ତି। ତେବେ ଡାବୁଗାଁ କନ୍ୟାଶ୍ରମ ନିକଟ ଅଙ୍ଗିନଦି ଶ୍ମଶାନ ଘାଟର ଉନ୍ନତୀକରଣ ପାଇଁ ସ୍ଥାନୀୟ ପ୍ରଶାସନ, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ନବରଙ୍ଗପୁର ସାଂସଦଙ୍କ ନିକଟରେ ଲୋକେ ଦାବି କରି ଆସୁଥିବା ବେଳେ  ୨୦୨୧/୨୨ରେ ଶ୍ମଶାନ ଘାଟର ଉନ୍ନତୀକରଣ ପାଇଁ ୭୦ ଲକ୍ଷ ଟଙ୍କାର ବ୍ୟେୟ ଅଟକଳ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଆଇଟିଡିଏ ପକ୍ଷରୁ ୫ ଲକ୍ଷ ଅନୁଦାନରେ ରାସ୍ତା ଓ ଡ୍ରେନ ନିର୍ମାଣ, ଜିଲ୍ଲା ପରିଷଦ ପାଣ୍ଠିରୁ ଗାଧୁଆ ଘାଟ ପାଇଁ ୪ ଲକ୍ଷ ଟଙ୍କା, ପାହାଚ ନିର୍ମାଣ ପାଇଁ ୨ ଲକ୍ଷ ୫୦ ହଜାର ଓ ମନରେଗା ରେ ୧୦ ଲକ୍ଷ ଵ୍ୟେୟ କରାଯାଇ ଥିଲା। ବର୍ତମାନ ପର୍ଯ୍ୟନ୍ତ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ଅଧିକାଂଶ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି। ରାତ୍ରରେ ଶ୍ମଶାନ ଘାଟ ଅନ୍ଧାର ଥିବାରୁ ଶବାଧାରରେ ଆସୁଥିବା ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି।

ଆଶ୍ରୟ ସ୍ଥଳୀ ଓ ପାନୀୟ ଜଳ ସୁବିଧା ନଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଅଙ୍ଗିନଦୀ ଶ୍ମଶାନଘାଟର କାର୍ଯ୍ୟ ସମ୍ପୂର୍ଣ୍ଣ ସହ ଉନ୍ନତୀକରଣ ପାଇଁ  ଡାବୁଗାଁବାସୀ ବାରମ୍ବାର ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ସ୍ଥାନୀୟ ବିଧାୟକଙ୍କୁ ଦାବି କରୁଥିଲେ ସୁଦ୍ଧା ତାହା ଅସମ୍ପୂର୍ଣ ଥିବାରୁ ଲୋକେ ହତାଶ ଅଛନ୍ତି। ଶୀଘ୍ର ଅସମ୍ପୂର୍ଣ୍ଣ ଶ୍ମଶାନ ଘାଟ ନିର୍ମାଣ ସମ୍ପୂର୍ଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Nabarangpur