ନବରଙ୍ଗପୁର (ସୁରେଶ ନାଇଡୁ): ଡିଜେ ଓ ଅତ୍ୟାଧୁନିକ ଯନ୍ତ୍ରସଂଗୀତରେ ହଜିବାକୁ ବସିଲାଣି ଲୋକକଳା, ବାଦ୍ୟ ଓ ନୃତ୍ୟ। ଅଳ୍ପ କିଛି କଳାକାର ଏହି ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟକୁ ବ˚ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କୁ ପ୍ରଶାସନ ତରଫରୁ ସେଭଳି ପ୍ରୋତ୍ସାହନ କିମ୍ବା ଉତ୍ସାହିତ କରାଯିବା କଥା ତାହା ବି ହେଉନି। କଳାକାରଙ୍କୁ ଭତ୍ତା ସହ ବୀମା ଓ ଅନ୍ୟାନ୍ୟ ଯୋଜନାରେ ସାମିଲ କରାଯାଉଥିବା ଘୋଷଣା କରାଯାଉଛି କିନ୍ତୁ ପ୍ରକୃତ ପକ୍ଷେ ମିଳୁନି। ଗୋଟିଏ ପଟେ ସରକାର ଡିଜେ ସଂଗୀତକୁ ବ୍ୟାନ୍ କରିଛନ୍ତି। ୬ଡେସିବଲ୍ ଅଧିକା ଶବ୍ଧ ହେବାକୁ ମନା କରାଯାଇଛି।
ଅନ୍ୟପକ୍ଷରେ ରାଜ୍ୟ ସରକାର ଲୋକକଳା ଓ ଲୋକନୃତ୍ୟ, ଲୋକବାଜାକୁ ବଞ୍ଚାଇବାକୁ ଭରପୁର ପ୍ରୟାସ କରୁଛୁ ବୋଲି କହୁଥିଲେ ହେଁ ବହୁ ଲୋକ କଳାକାର ଆଜି ବି ଅବହେଳିତ ଅବସ୍ଥାରେ ରହିଛନ୍ତି। ଆନେକ କଳାକାର ନିଜର କଳାକାର ଭତ୍ତା ବି ପାଉନାହାନ୍ତି।
ବାହାଘର ହେଉ କି ବ୍ରତଘର, ପୂଜାପାର୍ବଣ ସବୁସ୍ଥାନରେ ଲୋଡ଼ୁଥିବା ତଥା ଲୋକଗୀତ, ଲୋକସଂଗୀତ ଓ ଲୋକନୃତ୍ୟ ଢ଼େମସା, ରିଂଜୋଡ଼ିକୁ ସଂଗୀତ ଦେଉଥିବା ଗ୍ରାମାଂଚଳର ପାରମ୍ପରିକ ମହୁରି ବାଜା କଳାକାର ବି ଅବହେଳିତ ବୋଲି କହିଛନ୍ତି କହ୍ନେଇଯବାର ବିଶ୍ବନାଥ ମହୁରିଆ, କଂଗ୍ରାର ସଦା ମହୁରିଆ। ବଂଚିବା ପାଇଁ ଏମାନଙ୍କୁ ସଂଘର୍ଷ କରିବାକୁ ପଢ଼ୁଛି ବୋଲି କହିଛନ୍ତି ସଦା। ସେଥିପାଇଁ ନିଜ ପୁଅ ରାମକୁ ପାଠ ପଢ଼ାଇ ସରକାରୀ ଚାକିରି କରାଇବା ଲକ୍ଷ୍ୟ ରଖିଛନ୍ତି ସଦା।
ଏହି ଦଳର ମହୁରିଆଙ୍କୁ ୯୦୦ଟଙ୍କା ଓ ନୃତ୍ୟ ଦଳକୁ ୧୮୦୦ଟଙ୍କା ମିଳୁଥିବା କହିଛନ୍ତି ସଦା। ବାରମ୍ବାର କଳାକାର ଭତ୍ତା ପାଇଁ ସେ ଓ ତାଙ୍କ ଦଳ ସଦସ୍ୟ ଆବେଦନ କରିଥିଲେ ହେଁ ଏଯାଏଁ ସରକାରୀ ସହାୟତା କିଛି ମିଳିନି ବୋଲି କହିଛନ୍ତି ତାଙ୍କ ଦଳର ହରିବନ୍ଦୁ, ରମେଶ ଓ ବୁଟି। ଏହି ଦୁଇ ଦଳ ଦୁର୍ଗାପୂଜା ଅବସରରେ ଆସିଥିବା ବେଳେ ଆମ ପ୍ରତିନିଧିଙ୍କୁ ଏଭଳି କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକ କଳା, ସଂସ୍କୃତି ଓ ପରମ୍ପରା ରହିଥିଲା ତାହାକୁ ବଂଚାଇ ରଖିବା ଦିଗରେ ପ୍ରଶାସନ ସାମନ୍ୟ ତମ ପ୍ରୟାସ ବି ହେଉନଥିବା କହିଛନ୍ତି କଳାକାର ସୁମିତ ପାଳ, ସତ୍ୟ ବେହେରା।
ଗ୍ରାମାଂଚଳର କଳାକାରମାନଙ୍କୁ ଉତ୍ତମ ମଂଚ ପ୍ରଦାନ ପାଇଁ ଯଦିଓ ଲୋକମହୋତ୍ସବ ଗୁଡିକ କରାଯାଉଥିଲେ ହେଁ କାଁଭାଁ ଜିଲ୍ଲାସ୍ତରରେ ଗ୍ରାମାଂଚଳର କଳାକାର ମାନଙ୍କୁ ମଂଚ ଦିଆଯାଉଛି। ଅନ୍ୟପକ୍ଷରେ ଅନ୍ୟ ରାଜ୍ୟର କଳାକାରଙ୍କୁ ଅଧିକା ପଇସା ଦେଇ ଆଣି ଏଠାରେ ସେମାନଙ୍କର କଳା ପ୍ରଦର୍ଶନ କରାଯାଉଛି। ତେବେ ଜିଲ୍ଲାର କଳାକାରମାନଙ୍କୁ ସୁଯୋଗ ମିଳୁନଥିବାରୁ ସେମାନେ ସେଭଳି ଦୟନୀୟ ଅବସ୍ଥାରେ ପଡି ରହୁଛନ୍ତି ବୋଲି କହିଛନ୍ତି ଗବେଷକ ସମିର ତ୍ରିପାଠୀ।
ନିକଟରେ ସରିଥିବା ମଣ୍ଡେଇ ଲୋକମହୋତ୍ସବରେ ରାଜ୍ୟ, ରାଜ୍ୟବାହାରକୁ କିମ୍ବା ବିଦେଶରେ ହେଉଥିବା ମହୋତ୍ସବକୁ ଜିଲ୍ଲାର ଲୋକକଳା ଓ ବାଦ୍ୟ, ଲୋକ କଳାକାରଙ୍କୁ ପଠାଯିବା ଦିଗରେ ପ୍ରୟାସ କରାଯାଇଛି ବୋଲି ପ୍ରଶ୍ନ କରାଗଲେ ସେଭଳି ସ୍ପଷ୍ଟ ଉତ୍ତର ମିଳୁନି। ଏହି ସ୍ଥିତିରେ ଧୀରେଧୀରେ ଲୋକକଳା, ଲୋକ ନୃତ୍ୟ, ଲୋକ ବାଦ୍ୟ ଲୋପ ପାଇବାକୁ ବସିଥିବା ବେଳେ ଏହାକୁ କିଭଳି ପୁନଃରୁଦ୍ଦାର କରାଯିବ ସେ ନେଇ ପ୍ରଶାସନ, ସଂସ୍କୃତି ବିଭାଗ ଚିନ୍ତା କରିବା ଆବଶ୍ୟକ ବୋଲି ବହୁ ବରିଷ୍ଠ କଳାକାର କହିଛନ୍ତି। ନୂଆ ପିଢ଼ି ଆସୁନଥିବାରୁ ଏହି ପାରମ୍ପରିକ ବାଜା ଧୀରେଧୀରେ ବନ୍ଦ ହେବାକୁ ବସିଲାଣି।
Nabarangpur