ପେଟ୍ରୋଲ ଢାଳି ପତ୍ନୀଙ୍କୁ ହତ୍ୟା ଉଦ୍ୟମ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡିପାଣି ପଂଚାୟତ ଅନ୍ତର୍ଗତ ଠେଲକୋପଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀକୁ ପେଟ୍ରୋଳ ଢାଳି ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଠେଲକୋପଡା ଗ୍ରାମର ସୁଶାନ୍ତ ଡଙ୍ଗ୍ରୀ ତିନି ବର୍ଷ ତଳେ କଳାହାଣ୍ଡି ଜିଲ୍ଲା କନକପୁର ଗ୍ରାମର ତରୁଣୀ ମାଝୀଙ୍କୁ ପ୍ରେମ ବିବାହ କରିଥିଲେ। ବର୍ତମାନ ଉଭୟଙ୍କର ୧୦ମାସର ଶିଶୁ ପୁତ୍ର ରହିଛି। ତେବେ ଗତକାଲି ରାତିରେ କୌଣସି କଥାକୁ ନେଇ ଦଂପତିଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଏତେ ମାତ୍ରାରେ ସୁଶାନ୍ତ ଉତ୍ତ୍ୟକ୍ତ ହୋଇଯାଇଥିଲେ ଯେ, ପତ୍ନୀ ଦେହରେ ପେଟ୍ରୋଲ ଢାଳି ଦେଇ ନିଆଁ ଲଗାଇ ଦେଇଥିଲେ। ପତ୍ନୀ ହୁତ୍‌ହୁତ୍‌ ହୋଇ ଜଳୁଥିବା ବେଳେ ସୁଶାନ୍ତ ସେଠାରୁ ଚମ୍ପଟ ମାରିଥିଲେ।

ତରୁଣୀଙ୍କ ଶାଶୂ ଓ ଶ୍ୱଶୁର ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବି ସ୍ୱାସ୍ଥ୍ୟ ଅବସ୍ଥାରେ ବିଶେଷ ପରିବର୍ତନ ନଆସିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅର୍ଧାଧିକ ଶରୀର ଜଳି ଯାଇଥିବା ବେଳେ ଖବର ପାଇ ଆଜି ରାତିରେ ତରୁଣୀଙ୍କ ପରିବାର ଲୋକ ଚନ୍ଦାହାଣ୍ଡି ପହଞ୍ଚିଛନ୍ତି। ଥାନାରେ ଝିଅକୁ ପେଟ୍ରୋଲି ଢାଳି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ନେଇ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ବିଲ ମଙ୍ଗଳ ସେଠୀ ଥାନା କେସ ନଂ.୮୭/୧୮, ଆଇପିସିର ଧାରା ୪୯୮(କ)/ ୩୨୬/ ୩୦୭ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର