ରାସ୍ତାରେ ପ୍ରସବ, ଚାଲିଚାଲି ଘରକୁ ଫେରିଲେ ପ୍ରସୂତି

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଉପାନ୍ତ କୁହୁଡି ପଞ୍ଚାୟତ ଅନ୍ତର୍ଗତ ଧୁମାକୋଟ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜଣେ ଗର୍ଭବତୀ ମହିଳା ରାସ୍ତା କଡରେ ପ୍ରସବ କରିଛନ୍ତି। ଗାଁକୁ ପକ୍କା ରାସ୍ତା ନଥିବାରୁ ବାଇକ୍‌ ଯୋଗେ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଉଥିଲା। ତେବେ ରାସ୍ତାରେ ପ୍ରସବ ବେଦନା ବଢିବାରୁ ବାଇକକୁ ରଖିବା ପରେ ନିକଟସ୍ଥ ଜଙ୍ଗଲରେ ମହିଳା ଜଣକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ନବଜାତ ଶିଶୁ ପୁତ୍ରକୁ ଧରି ପୁଣି ମହିଳା ଜଣକ ଦୀର୍ଘ ୭କିଲୋମିଟର ରାସ୍ତା ଚାଲି ଚାଲି ନିଜ ଗାଁରେ ପହଞ୍ଚିଛନ୍ତି।
ସୂଚନା ଅନୁଯାୟୀ, ଉପାନ୍ତ ଧୁମାକୋଟ ଗ୍ରାମର ରୁପସିଂ ଗୌଡଙ୍କ ପତ୍ନୀ ମନ୍ଥରା (୩୫) ଆଜି ସକାଳେ ପ୍ରସବ ବେଦନା ଅନୁଭବ କରିଥିଲେ। ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୩୦କିଲୋମିଟର ଦୂରରେ ଥିବା ଏହି ଅଞ୍ଚଳରେ ମୋବାଇଲ ଓ ସ୍ୱାସ୍ଥ୍ୟସେବା ସୁବିଧା ନାହିଁ। ଏପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତା ମଧ୍ୟ ନିର୍ମାଣ ହୋଇପାରିନି। ଗାଁକୁ ଆମ୍ବୁଲାନ୍‌ସ ଆସିବା ଅସମ୍ଭବ ହୋଇଥିବାରୁ ବାଧ୍ୟ ହୋଇ ଏକ ବାଇକ୍‌ ଯୋଗେ ମନ୍ଥରାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଉଥିଲା। ପଛରେ ଅନ୍ୟ ଗୋଟିଏ ବାଇକ୍‌ ଯୋଗେ ସଂପର୍କୀୟ ଆସୁଥିଲେ। ତେବେ ଅଧିକ ପ୍ରସବ ବେଦନା ହେବାରୁ କାଶିପାଣି ଜଙ୍ଗଲ ନିକଟରେ ମନ୍ଥରା ବିଶ୍ରାମ ନେଇଥିଲେ। ଏହି ସମୟ ମଧ୍ୟରେ ମନ୍ଥରା ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।

କିଛି ସମୟ ବିଶ୍ରାମ ନେବା ପରେ ମନ୍ଥରା ଓ ସଂପର୍କୀୟ ନବଜାତ ଶିଶୁ ପୁତ୍ରକୁ ଧରି ଦୀର୍ଘ ୭କିଲୋମିଟର ରାସ୍ତା ଚାଲି ଚାଲି ନିଜ ଗାଁରେ ପହଞ୍ଚିଥିଲେ। ଗାଁକୁ ପକ୍କା ରାସ୍ତା ନଥିବା ସହ ମୋବାଇଲ ସେବା ନଥିବାରୁ ଗାଁରେ ଆମ୍ବୁଲାନ୍‌ସ ସେବା ପହଞ୍ଚି ପାରୁନି। ସେହିପରି କୁହୁଡି ପଞ୍ଚାୟତରେ ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ଟାଓ୍ଵାର ସ୍ଥାପନ ହେବା ନେଇ ଘୋଷଣା ହୋଇଛି। କିନ୍ତୁ ବର୍ତମାନ ସୁଦ୍ଧା ଟାଓ୍ଵାର ସ୍ଥାପନ ହୋଇପାରୁନି। ମୋବାଇଲ ନେଟଓ୍ଵର୍କ ସହ ରାସ୍ତା ନଥିବାରୁ ଲୋକେ ଜରୁରିକାଳୀନ ସମୟରେ ଗ୍ରାମବାସୀ ବହୁ ହଇରାଣ ହେଉଛନ୍ତି। ତେଣୁ ଶୀଘ୍ର ଏହି ଗାଁକୁ ପକ୍କା ରାସ୍ତା ନିର୍ମାଣ କରିବା ସହ ମୋବାଇଲ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର