ନିଆଁରେ ପୋଡ଼ି ହୋଇ ୬ବର୍ଷର ଶିଶୁକନ୍ୟା ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଂଚାୟତ ଅନ୍ତର୍ଗତ କୁସୁମବାହଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬ବର୍ଷର ଶିଶୁକନ୍ୟା ନିଆଁ ପୋଡ଼ି ହୋଇ ଗୁରୁତର ହୋଇ ଛି। ପ୍ରାପ୍ତ ସୂଚନାନୁଯାୟୀ କୁସୁମବାହଲ ଗ୍ରାମର ବନ୍ଧୁ ଜାନୀଙ୍କ ୬ବର୍ଷର ଶିଶୁକନ୍ୟା ସମ୍ବାରି ଜାନୀ (୬) ଘର ପାଖରେ ଥିବା ପାଳଗଦାର ମଞ୍ଚା ଉପରେ ଖେଳୁଥିଲା। ତେବେ ଶୀତଦିନ ଯୋଗୁଁ ମଞ୍ଚା ତଳେ ରାତ୍ରରେ ନିଆଁ ଲଗାଇ ନିଆଁପୁଉଁ ଥିଲେ। ଆଜି ସକାଳେ କୌଣସି କାରଣରୁ ତଳେ ଥିବା ନିଆଁ ମଞ୍ଚା ଉପରକୁ ଲାଗିଯାଇଥିଲା। ମଞ୍ଚା ଉପରେ ହୁତୁହୁତୁ ହୋଇ ନିଆଁ ଜଳୁଥିବା ବେଳେ ସମ୍ବାରି ଜାନୀ ନିଆଁରେ ଫସି ଯାଇଥିଲା ଏବଂ ଜୋରରେ କାନ୍ଦିବାକୁ ଲାଗିଥିଲା।
ସେହି ସମୟରେ ପରିବାର ଲୋକ ଗ୍ରାମ ନିକଟସ୍ଥ ନଦୀରେ ଶୌଚ ପାଇଁ ଯାଇଥିଲେ। ନିଆଁ ଲାଗିବା ସହ ସମ୍ବାରିର କାନ୍ଦ ଶୁଣି ବାପା ବନ୍ଧୁ ଜାନୀ ଏବଂ ମା ଚୁଡାମଣି ଜାନୀ ମଞ୍ଚା ନିକଟକୁ ଦୌଡ଼ି ଆସିଥିଲେ। ସେଠାରେ ସମ୍ବାରି ନିଆଁରେ ଫସି ଯାଇଥିବା ଦେଖି ଗ୍ରାମବାସୀଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପୂର୍ବରୁ ସମ୍ବାରିର ପ୍ରାୟ ଶରୀର ନିଆଁ ରେ ପୋଡ଼ି ହୋଇ ଯାଇଥିଲା।

ପରେ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରିବା ପରେ ୧୦୮ ଆମ୍ବୁଲାନ୍ସରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସମ୍ବାରି ଜାନୀର ଶରୀରର ପ୍ରାୟ ୯୦ ପ୍ରତିଶତ ନିଆଁରେ ପୋଡ଼ି ଯାଇଥିବା ଡାକ୍ତର ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ବନ୍ଧୁ ଜାନୀ ଏକ ଗରିବ ଶ୍ରେଣୀର ଲୋକ ହେତୁ ସମ୍ବାରିର ଚିକିତ୍ସା ପାଇଁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର